ଡିଡି ନେଟ୍‌ୱର୍କରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ୩ ମହିଳା କର୍ମଚାରୀ

ନୂଆଦିଲ୍ଲୀ : ଦୂରଦର୍ଶନ ଟେଲିଭିଜନ୍‌ ନେଟ୍‌ୱର୍କର ୩ ଜଣ ମହିଳା କର୍ମଚାରୀ ଆଜି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କାର୍ଯ୍ୟଚୁକ୍ତିର ନବୀକରଣ ଆଳରେ ‌ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ମହିଳା କର୍ମଚାରୀମାନେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ଦୂରଦର୍ଶନ କର୍ତ୍ତୃପକ୍ଷ ତତ୍କାଳ ତଦନ୍ତ ଆରମ୍ଭ କରିଛନ୍ତି। ଜଣେ ମହିଳା କର୍ମଚାରୀଙ୍କ ଅଭିଯୋଗ ମୁତାବକ ୨୦୧୫ରେ ସେ ଯୌନ ଶୋଷଣର ଶିକାର ହୋଇଥିଲେ। ଅଭିଯୋଗ ଆଣିଥିବା ୩ ମହିଳାଙ୍କ ମଧ୍ୟରୁ ୨ ଜଣ ଦିଲ୍ଲୀ ଦୂରଦର୍ଶନ ଏବଂ ଜଣେ ଭୋପାଳ ଦୂରଦର୍ଶନରେ କାର୍ଯ୍ୟରତ ଅଛନ୍ତି। ତେବେ ଠିକାରେ କାର୍ଯ୍ୟ କରୁଥିବା ଏହି ମହିଳା କର୍ମଚାରୀମାନେ ନିର୍ଯାତନା ସମ୍ପର୍କିତ ସବିଶେଷ ତଥ୍ୟ ଏବଂ ସମ୍ପୃକ୍ତ ଉପର ଅଧିକାରୀଙ୍କ ସମ୍ପର୍କରେ ତଥ୍ୟ ଦେଇନାହାନ୍ତି। ପୀଡ଼ିତାମାନଙ୍କୁ ପରାମର୍ଶ ଦେଉଥିବା ଆଇନଜୀବୀ ବରୁଣ ଭଣ୍ଡାରି କହିଛନ୍ତି ଯେ ସେମାନେ ଏ ବାବଦ‌ରେ ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏଥିପାଇଁ ସେମାନେ ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି।

ସମ୍ବନ୍ଧିତ ଖବର