ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ ଏସ୍ଥର ଡଫଲୋଙ୍କ ସମେତ ୩ ଜଣଙ୍କୁ ଅର୍ଥନୀତିରେ ନୋବେଲ୍

ନୂଆଦିଲ୍ଲୀ:  ଚଳିତ ବର୍ଷ  ଅର୍ଥନୀତି ଲାଗି ପ୍ରଦତ୍ତ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି। ନେବେଲ୍ ଏକାଡେମୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜଣାଶୁଣା ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଓ ତାଙ୍କର ଫରାସୀ ପତ୍ନୀ ତଥା ଅର୍ଥନୀତିଜ୍ଞ  ଏସ୍ଥର ଡଫଲୋ ଏବଂ ମାଇକେଲ୍ କ୍ରେମରଙ୍କୁ ଅର୍ଥନୀତିରେ ନେ‌ାବେଲ ଲାଗି ମନୋନୀତ କରାଯାଇଛି। ବିଶ୍ବରୁ ଦାରିଦ୍ର୍ୟ ଦୂରୀକରଣ ଲାଗି ଏହି ତିନି ଅର୍ଥଶାସ୍ତ୍ରୀ ନିଜର ଗବେଷଣାଲବ୍ଧ ଜ୍ଞାନର ଉପଯୋଗରେ ପରୀକ୍ଷାମୂଳକ ସୂତ୍ର ନିର୍ଦ୍ଧାରଣ କରିଥିବାରୁ  ସେମାନଙ୍କ ନାମ ଚୟନ କରାଯାଇଛି।

ଭାରତୀୟ-ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ୍ ବିନାୟକ ବାନାର୍ଜୀ କୋଲକାତାରେ ଜନ୍ମିତ। ସେ କୋଲକାତାର ପ୍ରେସିଡେନ୍ସୀ କଲେଜରେ ସ୍ନାତକ ଶେଷ ପରେ ଦିଲ୍ଲୀର ଜବାହରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର କରିବା ପରେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ପିଏଚଡି ଲ‌ାଭ କରିଥିଲେ। ବିଶ୍ବର ଜଣେ ଜଣାଶୁଣା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ବର୍ତ୍ତମାନ ମାସାଚ୍ୟୁଟସ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଅର୍ଥନୀତି ବିଭାଗରେ ଫୋର୍ଡ ଫାଉଣ୍ଡେସନ୍ ଇଣ୍ଟରନ୍ୟାସନାଲ୍ ପ୍ରଫେସର  ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ଅଭିଜିତ ବାନାର୍ଜୀଙ୍କ ଫରାସୀ ପତ୍ନୀ ତଥା ମାସାଚ୍ୟୁଟସ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଦାରିଦ୍ର୍ୟ ଦୂରୀକରଣ ଓ ବିକାଶଶୀଳ ଅର୍ଥନୀତିର ପ୍ରଫେସର୍ ଥିବା ଏସ୍ଥର ଡଫଲୋ ମିଳିତ ଭାବେ ନୋବେଲ୍ ପୁରସ୍କାର ଗ୍ରହଣ କରିବେ।  ଅବ୍ଦୁଲ ଲତିଫ୍ ଜାମିଲ୍ ପଭର୍ଟି ଆକସନ୍ ଲ୍ୟାବର ସହ-ପ୍ରତିଷ୍ଠତା ଡଫଲୋ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର