ତିନି ବନ୍ଧୁଙ୍କ ହାତରେ ଭାରତୀୟ ସ୍ଥଳସେନା, ବାୟୁସେନା ଓ ନୌସେନାର ଲଗାମ୍

ନୂଆଦିଲ୍ଲୀ: ଆଜି ସ୍ଥଳସେନା ମୁଖ୍ୟ ପଦରୁ ଅବସର ନେଇଛନ୍ତି ଜେନେରାଲ ବିପିନ୍ ରାୱତ । ବିପନଙ୍କ ସ୍ଥାନରେ ସ୍ଥଳସେନା ମୁଖ୍ୟ ଭାବ‌େ ଦାୟିତ୍ବ ଗ୍ରହଣ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ । ସେହିଭଳି ବର୍ତ୍ତମାନ ଆରକେଏସ ଭଦୋରିଆ ବାୟୁସେନା ମୁଖ୍ୟ ଥିବା ବେଳେ ନୌସେନା ମୁଖ୍ୟ ଭାବେ ଏବେ କାର୍ଯ୍ୟ କରୁଛନ୍ତି କରମବୀର ସିଂ । ତେବେ ଏହି ସେନା ପ୍ରମୁଖଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟକୁ  ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।

ଘଟଣାଚକ୍ରରେ ତିନି ବନ୍ଧୁଙ୍କ ହାତରେ ଦେଶର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ହୋଇଛି । କାରଣ ନରଭାଣେ, ଭଦୋରିଆ ଓ ସିଂ ହେଉଛନ୍ତି ବାସ୍ତବରେ ତିନି ବନ୍ଧୁ । ତିନି ଜଣ ନ୍ୟାସନାଲ ଡିଫେନ୍ସ ଏକାଡେମିର ୧୯୭୬ ମସିହା ବ୍ୟାଚର କ୍ୟାଡେଟ ଥିଲେ । ଏଥିସହ ତିନିହେଁ ପୁଣେସ୍ଥିତ ଏନଡିଏରେ ୩ ବର୍ଷ ଏକା ସଙ୍ଗେ ପ୍ରଶିକ୍ଷଣ ନେବା ପରେ ନିଜ ନିଜର କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିଥିଲେ । ଆଉ ଏବେ ୩ ବନ୍ଧୁଙ୍କ ହାତରେ ଦେଶର ସୀମା ସୁରକ୍ଷାର ଦାୟିତ୍ୱ ।

India Today  (  ମନୋଜ ମୁକୁନ୍ଦ ନରଭାଣେ, ଆରକେଏସ ଭଦୋରିଆ ଓ  କରମବୀର ସିଂ)

୩ ସେନାର ମୁଖ୍ୟ ଗୋଟିଏ ବ୍ୟାଚର ହୋଇଥିବାରୁ ସେମାନଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ତେଣୁ ତିନି ସେନା ମଧ୍ୟରେ ଭଲ ସମନ୍ୱୟ ରହିବ ବୋଲି ଆଶା କରାଯାଉଛି । ଆଶା କରାଯାଉଛି, ଏମାନଙ୍କ ନେତୃତ୍ୱରେ ବିଭିନ୍ନ ସାମରିକ କାର୍ଯ୍ୟକଳାପ  ଓ ଜରୁରୀକାଳୀନ ପରିସ୍ଥିତିର ପ୍ରଭାବୀ ମୁକାବିଲା କରିପାରିବେ ତିନି ସେନା । ଭାରତୀୟ ସେନାରେ କ୍ୱଚିତ ଏଭଳି ଦେଖିବାକୁ ମିଳେ ଯେତେବେଳେ ୩ ବନ୍ଧୁ ତିନି ବାହିନୀର  ପ୍ରମୁଖ ପଦରେ ଅଧିଷ୍ଠିତ ହୋଇଥାଆନ୍ତି।

ଏହାଛଡା ଏହି ୩ ବନ୍ଧୁଙ୍କ ମଧ୍ୟରେ ଆଉ ଏକ ସାମଞ୍ଜସ୍ୟ  ହେଉଛି, ଏମାନଙ୍କ ବାପା ଭାରତୀୟ ବାୟୁସେନାରେ ବିଭିନ୍ନ ପଦପଦବିରେ ରହି ଦେଶ ପାଇଁ କାମ କରିଛନ୍ତି । ଏପରିକି ମନୋଜ ନରଭାଣେ ଓ କରମବୀର ସିଂଙ୍କ ବାପା  ମଧ୍ୟ ବ୍ୟକ୍ତିଗତ ସ୍ତରରେ ଭଲ ବନ୍ଧୁ। ଏସବୁ ଭିତରେ ସେନାମୁଖ୍ୟ ପଦରୁ ଆଜି ବିପିନ୍ ରାୱତ ଅବସର ନେଇଛନ୍ତି ।  ଆସନ୍ତାକାଲି ସେ  ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ବ ନେବେ । ସିଡିଏସ ଭାବେ ବିପିନଙ୍କର ପ୍ରାଥମିକତା ରହିବ ୩ ସେନା ମଧ୍ୟରେ ସମନ୍ୱୟ ରକ୍ଷା  ।

ସମ୍ବନ୍ଧିତ ଖବର