ଭାରତୀୟ ସେନାକୁ ବଡ଼ ସଫଳତା: ପୁଲୱାମାଠାରେ ନିହତ ହେଲେ ୩ ଆତଙ୍କବାଦୀ

ଜମ୍ମୁ: କିଛିଦିନ ହେବ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ଆତଙ୍କାବାଦୀମାନେ ଆକ୍ରମଣ ଜାରି ରଖିଥିବା ବେଳେ ସୁରକ୍ଷାକର୍ମୀ ବି ଏହାର ମୁହଁତୋଡ ଜବାବ୍ ଦେବାରେ ଲାଗିଛନ୍ତି । ଏହି କ୍ରମରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ସମସ୍ତ ଆତଙ୍କବାଦୀ ଜୈଶ ଆତଙ୍କବାଦୀ ଗୋଷ୍ଠୀର ବୋଲି ଜଣାପଡ଼ିଛି । କହିରଖୁ କି ଗତକାଲି ବି ଅବନ୍ତିପୁରାଠାରେ ସେନା ଗୁଳିରେ ହିଁଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଗୋଷ୍ଠୀର ୨ଜଣ ଆତଙ୍କାବାଦୀ ପ୍ରାଣ ହରାଇଥିଲେ ।

ସୂଚନା ମୁତାବକ, ଭାରତୀୟ ସୁରକ୍ଷା ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା କି, କିଛି ଆତଙ୍କବାଦୀ ପୁଲୱାମା ଅବନ୍ତିପୋରାର ନାଗବେରିୟନ ଅଞ୍ଚଳରେ ଲୁଚି ରହିଛନ୍ତି । ସୂଚନା ଆଧାରରେ ସୁରକ୍ଷା ବଳ ପୁରା ଅଞ୍ଚଳକୁ ଘେରାଉ କରିଥିଲା । ଏହାପରେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । ମାତ୍ର ସେମାନେ ତାହା କରିବା ପରିବର୍ତ୍ତେ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଭିତରେ ୩ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି । ସୂଚନା ମୁତାବକ ଏବେ ବି ଯବାନମାନେ ସେଠାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର