ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଗୁଳି ବିନିମୟ: ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ସୋମବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବଳଙ୍କ ସହ ଗୁଳିବିନିମୟ ଯୋଗୁଁ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ପୁଲିସ କହିଛି।

ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ନିରାପତ୍ତା ବଳ ସୋମବାର ପାହାନ୍ତାରେ ଅନନ୍ତନାଗ ଜିଲ୍ଲାର ହାକୂରା ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ କରିଥିଲେ।

ତଲାସ ଚାଲିଥିବା ବେଳେ ଛପି ରହିଥିବା ଆତଙ୍କବାଦୀମାନେ ତଲାସକାରୀ ଦଳଙ୍କ ଉପରକୁ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ତାହା ଏନ୍‌କାଉଣ୍ଟର୍‌ ରୂପ ନେଇଥିଲା ବୋଲି ପୁଲିସ ଏକ ବିବୃତିରେ କହିଛି।

ଗୁଳି ବିନିମୟରେ ନିହତ ହୋଇଥିବା ତିନି ଆତଙ୍କବାଦୀମାନେ ହେଲେ ଶ୍ରୀନଗରର ଇସା ଫଜିଲ୍‌, ଅନନ୍ତନାଗ ଜିଲ୍ଲାର ସୟେଦ ଓଓ୍ଵାଇସ୍‌ ଏବଂ ସବଜର୍‌ ଅହମଦ୍‌ ସୋଫି।

ଏନ୍‌କାଉଣ୍ଟର୍‌ ସାଇଟ୍‌ରୁ ଏକେ-୪୭, ପିସ୍ତଲ, ହାତ ବୋମା ଆଦି ଅସ୍ତଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି। ଏଥିରେ ନିରାପତ୍ତା ବଳରୁ କେହି ମୃତାହତ ହୋଇ ନ ଥିବା ପ୍ରକାଶ।

ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିକଟରେ ସୌରାଠାରେ ଥିବା ପୁଲିସ ଗାର୍ଡ ପୋଷ୍ଟ୍‌ ଉପରେ ଆକ୍ରମଣ କରିଥିଲା। ଏଥିରେ ଜଣେ ପୁଲିସ କନେଷ୍ଟବଳ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର