ନୂଆଦିଲ୍ଲୀ: ସିଂଘୁ ସୀମାରେ କୃଷକଙ୍କ ଆନ୍ଦୋଳନ ସ୍ଥଳ ନିକଟରେ ଜଣେ ଦଳିତଙ୍କୁ ବର୍ବର ଭାବେ କରାଯାଇଥିବା ହତ୍ୟା ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି। ଶିଖ୍ ନିହଙ୍ଗ ସଂପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଥିବାବେଳେ ଆଉ ଦୁଇ ଜଣ ଏହି ଘଟଣାରେ ସୋନିପତ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହାପରେ ସେମାନଙ୍କୁ ଗିରଫ କରାଯାଇଛି। ଏଥିସହିତ ଦଳିତଙ୍କୁ ହତ୍ୟା କରିଥିବା ଦାବି କରି ଗିରଫ ହୋଇଥିବା ନିହଙ୍ଗ ସଂପ୍ରଦାୟର ସରବଜିତ ସିଂହଙ୍କୁ ସୋନେପତ୍ କୋର୍ଟ ଆଜି ୭ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛନ୍ତି। ନିହଙ୍ଗ ସଂପ୍ରଦାୟର ବ୍ୟକ୍ତିମାନଙ୍କ ଅଭିଯୋଗ ହେଲା ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ଶିଖ୍ ଧର୍ମର ପବିତ୍ର ଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବକୁ ଅପବିତ୍ର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଶୁକ୍ରବାର ଦଳିତ ଶ୍ରମିକ ଲଖବୀର ସିଂହ (୩୫)ଙ୍କର ମୃତଦେହ ସିଂଘୁ ସୀମାରେ ପୁଲିସ ବ୍ୟାରିକେଡ୍ରୁ ମିଳିଥିଲା। ତାଙ୍କର ବାମ ହାତ ଏବଂ ଡାହାଣ ପାଦକୁ କାଟି ଦିଆଯାଇ ବ୍ୟାରକେଡ୍ରେ ଝୁଲାଇ ଦିଆଯାଇଥିଲା। ଦିଲ୍ଲୀ-ହରିୟାଣା ସୀମାରେ କୁଣ୍ଡଳିଠାରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। ଲଖବୀରର ଘର ପଞ୍ଜାବର ତରନ ତାରନ୍ ଜିଲ୍ଲାରେ। ଏହି ଘଟଣା ପଦାକୁ ଆସିବାର କିଛି ସମୟ ପରେ ଗୁରୁଦାସପୁର ଜିଲ୍ଲାର ବାସିନ୍ଦା ସରବଜିତ ଏଥିପାଇଁ ନିଜକୁ ଦାୟୀ କରିଥିଲା। ଲଖବୀର ଶିଖ ଧର୍ମର ପବିତ୍ର ଗ୍ରନ୍ଥକୁ ଅପବିତ୍ର କରିଥିବାରୁ ତାକୁ ଏଭଳି ଦଣ୍ଡ ଦିଆଯାଇଛି ବୋଲି ସରବଜିତ କହିଥିଲା। ଏହାପରେ ସୋନେପତ ପୁଲିସ ତାକୁ ଗିରଫ କରିଥିଲା। ଜେରା ସମୟରେ ଏହି ଘଟଣାରେ ନିହଙ୍ଗ ସଂପ୍ରଦାୟର ୪ ଜଣ ସଂପୃକ୍ତ ଅଛନ୍ତି ବୋଲି ସେ କହିଥିଲା। ତେବେ ଉକ୍ତ ଅପରାଧ ଘଟଣାରେ ଅଭିଯୁକ୍ତଙ୍କ ସଂଖ୍ୟା ୫ରୁ ଅଧିକ ହୋଇପାରେ। ସେଥିପାଇଁ ଆମେ ସରବଜିତକୁ ଜେରା ପାଇଁ ଦୁଇ ସପ୍ତାହ ରିମାଣ୍ଡ ମାଗିଥିଲୁ। କିନ୍ତୁ ଅଦାଲତ ଗୋଟିଏ ସପ୍ତାହ ରିମାଣ୍ଡ ଦେଇଛନ୍ତି ବୋଲି ସୋନେପତ ଡିଏସପି ବିରେନ୍ଦର ସିଂହ କହିଛନ୍ତି।
ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଜଣକ ତଫସିଲଭୁକ୍ତ ଜାତି ଶ୍ରେଣୀର ହୋଇଥିବାରୁ ଏହି ମାମଲାରେ ଏସ୍ସି/ଏସ୍ଟି ଦଫା ଲଗାଯିବ ବୋଲି ପୁଲିସ କହିଛି। ରିମାଣ୍ଡ ସମୟରେ ଆମେ ହତ୍ୟାରେ ବ୍ୟବହୃତ ହୋଇଥିବା ଅସ୍ତ୍ର, ଅଭିଯୁକ୍ତ ପିନ୍ଧିଥିବା ପୋଷାକ ଆଦିକୁ ଜବତ କରିବୁ। ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ ପାଇଁ ଆମେ ତାକୁ ଗୁରୁଦାସପୁର ଓ ଚମକୌର ସାହିବକୁ ନେବୁ ବୋଲି ପୁଲିସ କହିଛି। ପୂର୍ବରୁ ଅମୃତସର ପୁଲିସ ନିକଟରେ ନିହଙ୍ଗ ସଂପ୍ରଦାୟର ମୁଖ୍ୟ ନାରାୟଣ ସିଂହ ଆତ୍ମସମର୍ପଣ କରିଥିଲା। ନାରାୟଣ ପୁଲିସକୁ କହିଛି, ସେ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ସରବଜିତ ତାର ହାତ କାଟି ସାରିଥିଲା। ଏହା ପରେ ମୁଁ ତା ପାଦକୁ କାଟିଦେଲି। ତେବେ ଏହି ହତ୍ୟାକୁ ଭାରତୀୟ କିଷାନ ସଂଘ ନେତା ରାକେଶ ଟିକାୟତ ଦୁର୍ଭାଗ୍ୟଜନକ କହିଛନ୍ତି। କିନ୍ତୁ ଏହି ହତ୍ୟା କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ପ୍ରଭାବିତ କରିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।