ଢାକା : ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି। ହିନ୍ଦୁ ସନ୍ଥ ତଥା ପୂର୍ବତନ ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଏବଂ ଗିରଫକୁ ବିରୋଧ କରି ବାଂଲାଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଏବଂ ହିଂସା ଜାରି ରହିଥିବା ବେଳେ ଶୁକ୍ରବାର ବାଂଲାଦେଶର ଛଟୋଗ୍ରାମରେ ୩ଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି।  ବନ୍ଦର ସହରର ହରିଶ ଚନ୍ଦ୍ର ମନସେଫ୍‌ ଲେନ୍‌ରେ ମାତୃ ମନ୍ଦିର, ଶନି ମନ୍ଦିର ଏବଂ କାଳିବାଡ଼ି ମନ୍ଦିର ଉପ‌ରେ ଆକ୍ରମଣ ହୋଇଛି।  ମନ୍ଦିର କର୍ତ୍ତୃପକ୍ଷ  କହିଛନ୍ତି, କିଛି ଲୋକ ହିନ୍ଦୁ ବିରୋଧୀ ସ୍ଲୋଗାନ୍‌ ଦେଇ  ମନ୍ଦିର ପରିସରରେ ଭଙ୍ଗାରୁଜା କରିଛନ୍ତି। ଅନ୍ୟପକ୍ଷେ ଆଜି ପୁଣି ଜଣେ ହିନ୍ଦୁ ପୁରୋହିତଙ୍କୁ  ଗିରଫ କରାଯାଇଛି। ତାଙ୍କ ନାଁ ଶ୍ୟାମ ଦାସ ପ୍ରଭୁ।  ଚିନ୍ମୟକୃଷ୍ଣ ଦାସଙ୍କୁ  ଭେଟିବାପାଇଁ ସେ ଜେଲ୍‌କୁ ଯାଇଥିବାବେଳେ ତାଙ୍କୁ ଗିରଫ କରାଯାଇଛି।  ତାଙ୍କୁ ବିନା ୱାରେଣ୍ଟ୍‌ରେ ଗିରଫ କରାଯାଇଛି।  ଇସ୍କନ କୋଲକାତାର ଉପସଭାପତି ଏବଂ ମୁଖପାତ୍ର ରାଧାରମଣ ଦାସ କହିଛନ୍ତି,  ଅନ୍ୟଜଣେ ବ୍ରହ୍ମଚାରୀ ଶ୍ରୀ ଶ୍ୟାମ ଦାସ ପ୍ରଭୁ ଛଟୋଗ୍ରାମ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି। ଇତିମଧ୍ୟରେ ବାଂଲାଦେଶରେ ଆର୍ଥିକ ଗୁଇନ୍ଦା ବିଭାଗ ଇସ୍କନ ବାଂଲାଦେଶ ସହ ଜଡ଼ିତ ୧୭ ଜଣ ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟ୍‌ ଅଚଳ କରିଦେଇଛି। ଚିନ୍ମୟକୃଷ୍ଣ ଦାସଙ୍କ ସମେତ ୧୭ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ୩୦ ଦିନ ପାଇଁ ଅଚଳ କରାଯାଇଛି। ଇତିମଧ୍ୟରେ ଭାରତ ଚିନ୍ମୟକୃଷ୍ଣ ଦାସଙ୍କୁ ଜାମିନ ନମିଳିବାକୁ ନେଇ ଚିନ୍ତା ପ୍ରକଟ କରିଛି।  ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କର ସୁରକ୍ଷା ସୁନିଶ୍ଚିତ କରିବାପାଇଁ ଭାରତ ବାଂଲାଦେଶକୁ ଅନୁରୋଧ କରିଛି।  ଏଭଳି ଘଟଣା ୨ ରାଷ୍ଟ୍ର ମଧ୍ୟରେ କୂଟନୈତିକ ବିବାଦ ବୃ୍ଦ୍ଧି କରୁଥିବା ଭାରତ କହିଛି। ବାଂଲାଦେଶର ଅନ୍ତରୀଣ ସରକାର ସମସ୍ତ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ଭାରତ କହିଛି।

Advertisment

କେନ୍ଦ୍ର ସରକାର ବୈଶ୍ବିକ ସମର୍ଥନ ଲୋଡ଼ୁ: ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ:  ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ବଢ଼ୁଥିବାରୁ ଏନେଇ କେନ୍ଦ୍ର ସରକାର ବୈଶ୍ବିକ ସମର୍ଥନ ଲୋଡ଼ିବାପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ୍‌) ଅନୁରୋଧ କରିଛି। ବେଆଇନ ଭାବେ ଗିରଫ କରାଯାଇଥିବା ହିନ୍ଦୁ ସନ୍ଥ ଚିନ୍ମୟକୃଷ୍ଣ ଦାସଙ୍କୁ ମୁକ୍ତ କରିବାକୁ ଦାବି କରିବା ସହ ଆର୍‌ଏସ୍‌ଏସ୍‌ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ଚାଲିଥିବା ଅଭିଯାନକୁ କଡ଼ା ନିନ୍ଦା କରିଛନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ସରକାର ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ହିଂସା ଘଟଣାର କେବଳ ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ସେ କହିଛନ୍ତି। ଆର୍‌ଏସ୍‌ଏସ୍‌ର ବିବୃତି ରଖି ହୋସାବଲେ କହିଛନ୍ତି, ବାଂଲାଦେଶରେ ଇସଲାମୀୟ ମୌଳବାଦୀଙ୍କ ଦ୍ବାରା ହିନ୍ଦୁଙ୍କ ସମେତ ସମସ୍ତ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଆକ୍ରମଣ, ହତ୍ୟା, ଲୁଟ୍‌ପାଟ୍‌ ଓ ଭଙ୍ଗାରୁଜା   ଅତ୍ୟନ୍ତ ଚିନ୍ତାଜନକ। ଆର୍‌ଏସ୍‌ଏସ୍‌ ଏହାକୁ ନିନ୍ଦା କରୁଛି।  ହୋସାବଲେ କହିଛନ୍ତି,  ଏଭଳି ଅତ୍ୟାଚାର ତୁରନ୍ତ ବନ୍ଦ ହେବା ଉଚିତ।  ଭାରତ ସରକାର ବାଂଲାଦେଶରେ ଏହି ସଙ୍କଟର ସମାଧାନ ପାଇଁ ଲଗାତାର ଉଦ୍ୟମ ଜାରି ରଖିବା ନିମନ୍ତେ ଆର୍‌ଏସ୍‌ଏସ୍‌ ଅନୁରୋଧ କରିଛି।  ବିଶ୍ବ ସମୁଦାୟ ଏବଂ ଅନ୍ତର୍ଜାତୀୟ ସଂଗଠନ ସହ ଭାରତ ଏବେ ବାଂଲାଦେଶରେ ହିନ୍ଦୁ ପୀଡ଼ିତଙ୍କ ସହ ଠିଆ ହେବାର ଆବଶ୍ୟକତା ରହିଛି ବୋଲି ଆର୍‌ଏସ୍‌ଏସ୍‌ ଗୁରୁତ୍ବାରୋପ କରିଛି।  ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଉଭୟ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ସମୁଦା‌ୟ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇଥିବାରୁ ଏ ଦିଗରେ ହସ୍ତକ୍ଷେପ ଜରୁରୀ  ବୋଲି ଆର୍‌ଏସ୍‌ଏସ୍‌ କହିଛି।