କାଙ୍କେର୍‌ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଗୁଳି ବିନିମୟ: ତିନି ନକ୍ସଲ୍‌ ନିହତ ଓ ଜଣେ ଯବାନ ଆହତ

ମାଲକାନଗିରି: ସୋମବାର ସକାଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର୍‌ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ପୁଲିସ ସହ ଗୁଳି ବିନିମୟ କରି ତିନିଜଣ ନକ୍ସଲ ନିହତ ହୋଇଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଏହି ଗୁଳିକାଣ୍ଡରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି।

କାଙ୍କେର ସୀମାନ୍ତ ଜଙ୍ଗଲ ରାଓଘାଟ ଥାନା ଅଞ୍ଚଳରେ ନକ୍ସଲମାନଙ୍କ କ୍ୟାମ୍ପ୍‌ ପଡ଼ିଛି ବୋଲି କାଙ୍କେର୍‌ ଜିଲ୍ଲା ପୁଲିସ ସୂଚନା ପାଇଥିଲା। ଗତରାତିରେ ଜିଲ୍ଲା ପୁଲିସ, ସଶସ୍ତ୍ର ସୀମା ବଳ ଓ ଡିଆର୍‌ଜିର ଯବାନମାନେ ମିଳିତ ଭାବେ ସେ ଅଞ୍ଚଳରେ ଚଢ଼ାଉ କରିଥିଲେ।

ଆଜି ସକାଳୁ ସେଠାରେ ନକ୍ସଲ ଓ ଯବାନମାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଏଥିରେ ତିନିଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତ ଯବାନଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ଏବଂ ସେ ବିପଦମୁକ୍ତ ବୋଲି ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି।

ଘଟଣାସ୍ଥଳରେ ପ୍ରାୟ ୨୦ଜଣ ନକ୍ସଲ ଥିଲେ। ବାକି ନକ୍ସଲମାନେ ଖସି ପଳାଇଛନ୍ତି। ଗୁଳି ବିନିମୟ ସ୍ଥଳରୁ ବହୁ ମାଓ ସାମଗ୍ରୀ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ସମ୍ବନ୍ଧିତ ଖବର