ସିଆର୍‌ପିଏଫ୍‌ ମହିଳା ବାଇକ ରାଲିରେ ୩ ଓଡ଼ିଆ

ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍‌ପିଏଫ୍‌) ୭୫ ଜଣିଆ ମହିଳା ଡେୟାର୍‌ଡେଭିଲ ବାଇକ ରାଲିରେ ତିନି ଓଡ଼ିଆ ମହିଳା ସାମିଲ ହୋଇଛନ୍ତି। ସେମାନେ ହେଲେ, ନିମାପଡ଼ାର ପ୍ରତିମା ବେହେରା ,‌‌ଢେଙ୍କାନାଳର ପ୍ରିୟଦର୍ଶିନୀ ଓ ବଲାଙ୍ଗୀରର ରାଜଶ୍ରୀ ସାହୁ। ପ୍ରତିମା ସିଆର୍‌ପିଏଫ୍‌ର ୨୧୩ ବାଟାଲିୟନରେ ହେଡ୍‌ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିବାବେଳେ ପ୍ରିୟଦର୍ଶିନୀ ଓ ରାଜଶ୍ରୀ କନେଷ୍ଟବଳ ଭାବେ ରାପିଡ୍‌ ଆକ୍‌ସନ ଫୋର୍ସରେ ମୁତୟନ ଅଛନ୍ତି।

ଡେୟାରଡେଭିଲ ବାଇକ ରାଲି ଚଳିତମାସ ୯ରୁ ଦିଲ୍ଲୀର କର୍ତ୍ତବ୍ୟପଥରୁ ଛତିଶଗଡ଼ର ଜଗଦଳପୁରକୁ ଯାତ୍ରା ଆରମ୍ଭ କରିଛି। ଏଥର ଜଗଦଳପୁରରେ ମାର୍ଚ୍ଚ ୨୫ରେ ସିଆର୍‌ପିଏଫ୍‌ ପ୍ରତିଷ୍ଠା ଦିବସ ପାଳନ କରିବ। ୧୬ ଦିନର ଏହି ବାଇକ ରାଲି ୧୯ ଶହ କିମି ରାସ୍ତା ଅତିକ୍ରମ କରି ମାର୍ଚ୍ଚ ୨୫ରେ ଜଗଦଳପୁରରେ ପହଞ୍ଚିବ। ୩୮ଟି ରୟାଲ୍‌ ଏନଫିଲ୍‌ଡ ବାଇକ୍‌ରେ ମହିଳା କମାଣ୍ଡୋମାନେ ଯାତ୍ରା କରୁଛନ୍ତି। କମାଣ୍ଡୋମାନେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଅତିକ୍ରମ କରି ଛତିଶଗଡ଼ରେ ପହଞ୍ଚିବେ।

ରାଲି ମାଧ୍ୟମରେ ନକ୍‌ସଲ ପ୍ରବଣ ଇଲାକାରେ ନାରୀ ଶକ୍ତି ଓ ଶାନ୍ତିର ବାର୍ତ୍ତା ଦିଆଯିବ। ଯାତ୍ରା ପାଇଁ ଆରୋହୀମାନଙ୍କୁ ସ୍ବତନ୍ତ୍ର ଭାବେ ଗୋଟିଏ ମାସ କଠୋର ପ୍ରଶିକ୍ଷଣ ଦିଆଯାଇଛି। ରାଲି ଭଳି ଏକ ଦୁଃସାହସିକ ଅଭିଯାନର ଅଂଶବିଶେଷ ହୋଇଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରିୟଦର୍ଶିନୀ ‘ସମ୍ବାଦ’କୁ କହିଛନ୍ତି। ପୂର୍ବରୁ ୨୦୨୦ ଗଣତନ୍ତ୍ର ଦିବସ ପରେଡ୍‌ରେ ସିଆର୍‌ପିଏଫ୍‌ ବାଇକର୍ସ କଣ୍ଟିଜେଣ୍ଟରେ ଷ୍ଟଣ୍ଟ୍ ପ୍ରଦର୍ଶନ କରି ସେ ବେଶ ପ୍ରଶଂସା ସାଉଁଟିଥିଲେ। ୨୦୨୧ରେ ପ୍ରିୟଦର୍ଶିନୀ ଗଣତନ୍ତ୍ର ଦିବସ ପରେଡ୍‌ରେ ସିଆର୍‌ପିଏଫ୍‌ ପ୍ରଜ୍ଞାପନ ମେଢ଼ର ମାର୍ଚ୍ଚିଂ କଣ୍ଟିଜେଣ୍ଟ୍‌ରେ ସ୍ଥାନ ପାଇଥିଲେ।

ପ୍ରତିମାଙ୍କର ମଧ୍ୟ ସିଆର୍‌ପିଏଫ୍‌ ‘ଅଲ୍‌ ୱିମେନ ବାଇକର୍ସ କଣ୍ଟିଜେଣ୍ଟ୍‌’ ଡେୟାରଡେଭିଲ ଷ୍ଟଣ୍ଟ ପ୍ରଦର୍ଶନରେ ଅଭିଜ୍ଞତା ରହିଛି। ସିଆର୍‌ପିଏଫ୍‌ ମହିଳା ବାଟାଲିୟନରେ ରାଜଶ୍ରୀଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟିର ରହିଛି। ରାଲି ଅବସରରେ ବାଇକ୍‌ ଆରୋହୀ ସ୍କୁଲ ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ଏସ୍‌ଏଚ୍‌ଜି ଗ୍ରୁପ୍‌ମାନଙ୍କୁ ସାକ୍ଷାତ କରି ଦୁଃସାହସିକ କାର୍ଯ୍ୟ ପାଇଁ ଉତ୍ସାହିତ କରୁଛନ୍ତି। ସେମାନଙ୍କ ଦ୍ବାରା ବାଇକରେ ଦୁଃସାହସିକ କାର୍ଯ୍ୟ ମଧ୍ୟ ପ୍ରଦର୍ଶନ କରାଯାଉଛି। ଏହି କ୍ରମରେ ଗତକାଲି ଗ୍ବାଲିୟରରେ ପ୍ରିୟଦର୍ଶିନୀଙ୍କ ଦ୍ବାରା ବାଇକ୍‌ରେ ଉଚ୍ଚକୋଟିର ଷ୍ଟଣ୍ଟ୍‌ ପ୍ରଦର୍ଶନ କରାଯାଇଥିଲ। ଯାହାକି ସମସ୍ତଙ୍କୁ ‌ରୋମାଞ୍ଚିତ କରିଥିଲା। ‘ସମ୍ବାଦ’ ସହିତ ପ୍ରିୟଦର୍ଶିନୀ ଆଲୋଚନା ବେଳେ କହିଛନ୍ତି ରାଲି ଜରିଆରେ ମହିଳା ସଶକ୍ତିକରଣ ଓ ଶାନ୍ତିର ବାର୍ତ୍ତା ପହଞ୍ଚାଇବାକୁ ନେଇ ସେ ବିଶେଷ ଉତ୍ସାହିତ ଅଛନ୍ତି। ବାଇକ ରାଲି ଜଗଦଳପୁରରେ ପହଞ୍ଚିବା ପରେ ସିଆର୍‌ପିଏଫ୍‌ ପ୍ରତିଷ୍ଠା ଦିବସ ପାଳନ କରିବ ଓ ଏହା ସମସ୍ତ ବାଇକ୍‌ ଆରୋହୀଙ୍କ ପାଇଁ ଏକ ଅଭୁଲା ସ୍ମୃତି ହେବ ବୋଲି ପ୍ରିୟଦର୍ଶିନୀ କହିଛନ୍ତି।

ସମ୍ବନ୍ଧିତ ଖବର