ନୂଆଦିଲ୍ଲୀ: ୧୯୯୯ ମହାବାତ୍ୟାର ୨୧ ବର୍ଷ ପରେ ବଙ୍ଗେପସାଗରରେ ସୃଷ୍ଟି ହୋଇଥିବା ଦ୍ୱିତୀୟ ମହାବାତ୍ୟା ଅମ୍ଫାନକୁ ନେଇ ସଂପ୍ରତି ସମଗ୍ର ବିଶ୍ୱରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଛି। ତେବେ, ଅମ୍ଫାନର ସଫଳ ଭାବେ ମୁକାବିଲା ପୂର୍ବକ ବ୍ୟାପକ କ୍ଷୟକ୍ଷତିରୁ ଦେଶକୁ ବଞ୍ଚାଇବାରେ ତିନି ଶୀର୍ଷସ୍ଥାନୀୟ ଓଡ଼ିଆ ଅଧିକାରୀ ଯେପରି ଢ଼ଙ୍ଗରେ ଏହି ବିପର୍ଯ୍ୟୟର ପରିଚାଳନା କଲେ ତାକୁ ନେଇ ଏବେ ଚାଲିଛି ସମଗ୍ର ଦେଶରେ ଆଲୋଚନା।
ମହାବାତ୍ୟା ଅମ୍ଫାନର ମୁକାବିଲାର ପୃଷ୍ଠ ଭାଗରେ ଦୁଇ ଭିନ୍ନ ଭିନ୍ନ ଭୂମିକାରେ ରହିଥିଲେ ଦୁଇ ବରିଷ୍ଠ ଓଡ଼ିଆ ଅଧିକାରୀ। ଏମାନେ ନିଜ ନିଜର ଗୁରୁଦାୟିତ୍ୱକୁ ସୁଚାରୁ ରୂପେ ନିର୍ବାହ କରି ଏବେ ଦେଶବାସୀଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଅମ୍ଫାନ ମୁକାବିଲାର ପୁରୋଭାଗରେ ରହିଥିଲେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ରହିଥିବା ବେଳେ ତାଙ୍କ ପଛକୁ ରହିଥିଲେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ (ଏନ୍ଡିଆରଏଫ୍)ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ। ଏହି ଦୁଇ ଓଡ଼ିଆ ଅଧିକାରୀ ଅମ୍ଫାନର ପ୍ରତ୍ୟେକଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଏହାର ମୁକାବିଲା ପାଇଁ କିଭଳି ପ୍ରସ୍ତୁତି କରାଯାଇପାରିବ ଓ କି କି ପଦକ୍ଷେପ ନିଆଯିବ ସେ ନେଇ ସେମାନେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକର ସରକାରମାନଙ୍କୁ ନିରନ୍ତର ସୂଚନା ଓ ପରାମର୍ଶ ଦେଇ ଆସୁଥିଲେ।
ପ୍ରଥମେ ଆଇଏମ୍ଡିର ସାଇକ୍ଲୋନ୍ ଓ୍ଵାର୍ଣ୍ଣିଂ ସେଣ୍ଟର ମୁଖ୍ୟ ଥିଲେ ଶ୍ରୀ ମହାପାତ୍ର। ସେ ସମୟରେ ସେ ଫାଇଲିନ୍, ହୁଡ୍ହୁଡ଼୍, ତିତ୍ଲି, ବୁଲବୁଲ୍ ଓ ଫନି ବାତ୍ୟାର ସଠିକ୍ ଆକଳନ କରି ଖ୍ୟାତି ଅର୍ଜନ କରିଥିବା ଆଇଏମ୍ଡିର ମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ର ଏବେ ଆଇଏମ୍ଡିର ଡିଜି ଭାବେ ‘ଅମ୍ଫାନ’ ସୃଷ୍ଟି ହେବା ଦିନଠାରୁ ଏହି ବାତ୍ୟାର ଟ୍ରାକ୍ ଏବଂ ସ୍ଥଳଭାଗ ଛୁଇଁବା ପର୍ଯ୍ୟନ୍ତ ପ୍ରତିଟି ଗତିବିଧି ଉପରେ ଯେଉଁ ସୂଚନା ଦେଇଥିଲେ ତାହା ଶେଷ ପର୍ଯ୍ୟନ୍ତ ଶତ ପ୍ରତିଶତ ଠିକ୍ ସାବ୍ୟସ୍ତ ହୋଇଥିଲା। ସେହିପରି ଅମ୍ଫାନର ଗତି ଓ ଲ୍ୟାଣ୍ଡଫଲ ନେଇ ତାଙ୍କ ଆକଳନ ପୂରା ଠିକ୍ ପ୍ରମାଣିତ ହୋଇଥିଲା। ଫଳରେ ପୂର୍ବରୁ ଗଣମାଧ୍ୟମ ଦ୍ୱାରା ସାଇକ୍ଲୋନ ମ୍ୟାନ ପରିଚିତ ଓଡ଼ିଶାର ଏହି ପାଣିପାଗ ବିଜ୍ଞାନୀଙ୍କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା।
ସେହିପରି, ବାତ୍ୟା ପରିଚାଳନାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ଆଉ ଜଣେ ଓଡ଼ିଆ ହେଲେ ଏନଡିଆରଏଫ ଡିଜି ଏସଏନ ପ୍ରଧାନ। ୧୯୮୮ ଝାଡ଼ଖଣ୍ଡ ବ୍ୟାଚ୍ ଆଇପିଏସ ଅଫିସର ଶ୍ରୀ ପ୍ରଧାନ ବିପର୍ଯ୍ୟୟ ପରିଚାଳନାରେ ବିଶେଷ ଦକ୍ଷତା ରଖିଥିବା କାରଣରୁ ତାଙ୍କୁ ୨୦୧୯ରୁ ଏନଡିଆରଏଫର ଡିଜି ଭାବେ ମୁତୟନ କରାଯାଇଛି। ଅମ୍ଫାନର ମୁକାବିଲା ପାଇଁ ତାଙ୍କ ନେତୃତ୍ୱ ଓ ନିର୍ଦ୍ଦେଶରେ ଏନଡିଆରଏଫ ଓଡ଼ିଶା ଓ ପଶ୍ଚିମବଙ୍ଗରେ ମୁତୟନ ହୋଇଥିଲେ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ୍ର ମନିଟରିଂ କରିଥିଲେ ଡିଜି ପ୍ରଧାନ।
ସେହିପରି ଅମ୍ଫାନ ପରିଚାଳନାରେ ପରଦା ପଛରେ ଅନ୍ୟ ଯେଉଁ ଓଡ଼ିଆ ଜଣକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ତଥା ପରାମର୍ଶଦାତା ପି କେ ମିଶ୍ର। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅମ୍ଫାନ ସଂପର୍କରେ ଆଗୁଆ ସୂଚନା ଦେବା ସହ ଏହାର ମୁକାବିଲା ପାଇଁ ସବୁ ସ୍ତରରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ଶ୍ରୀ ମିଶ୍ର। ଯାହା ଫଳରେ ଅମ୍ଫାନ ମୁକାବିଲା ପାଇଁ ସେନା ବାହିନୀକୁ ମଧ୍ୟ ଆଲର୍ଟ ମୋଡରେ ରଖିବା ସମ୍ଭବପର ହୋଇ ପାରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/B1-1.jpg)