ଫ୍ରାନ୍ସରେ ରାଫେଲ ଚାଳନା ଶିଖୁଛନ୍ତି ବାୟୁସେନାର ବଛା ବଛା ପାଇଲଟ୍, ତାଲିମ ପାଇଁ ୩ଟି ରାଫେଲ ବିମାନ ଯୋଗାଇଲା ଡାସାଲ୍ଟ କମ୍ପାନି
ନୂଆଦିଲ୍ଲୀ : ଭାରତ ଗତ ଅକ୍ଟୋବର ୮ରେ ପ୍ରଥମ ରେଫଲ ଲଢୁଆ ବିମାନ ପାଇଥିଲା । ତେବେ ଏହା ଆସନ୍ତା ବର୍ଷ ଭାରତରେ ପହଞ୍ଚିବ । କିନ୍ତୁ ଏବେଠାରୁ ରାଫେଲ ବିମାନ ଚଳାଇବା ଓ ତାହାର ମରାମତି କୌଶଳ ଶିକ୍ଷାକରୁଛନ୍ତି ଭାରତୀୟ ବାୟୁସେନାର ଏକ ଟିମ । ଏହି ଟିମରେ ରହିଛନ୍ତି ବାୟୁସେନାର ବଛା ବଛା ପାଇଲଟ ଓ ଇଂଜିନିୟର । ସେମାନେ ପ୍ୟାରିସରେ ରହି ଏହି ତାଲିମ ନେଉଛନ୍ତି । ଏହି ତାଲିମ ପାଇଁ ରାଫେଲ ନିର୍ମାଣ କରୁଥିବା ଫ୍ରେଞ୍ଚ୍ କମ୍ପାନି ଡାସାଲ୍ଟ ଆଭିଏସନ ୩ଟି ରାଫେଲ ବିମାନ ଯୋଗାଇଦେଇଛି । କମ୍ପାନିର କେତେକ ଅଭିଜ୍ଞ ପାଇଲଟ ଓ ଇଂଜିନିୟର ଭାରତୀୟ ଦଳକୁ ଏହି ତାଲିମ ପ୍ରଦାନ କରୁଛନ୍ତି ।
ଭାରତ ଗତ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ପାଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ୟାରିସ ଯାଇ ଏହାକୁ ଗ୍ରହଣ କରିଥିଲେ । ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ । ଭାରତକୁ ରାଫେଲ ବିମାନ ଆସିବା ପୂର୍ବରୁ ଭାରତୀୟ ବାୟୁସେନା ନିଜର ଲଢୁଆ ପାଇଲଟଙ୍କ ତାଲିମ ଶେଷ କରିବାକୁ ଚାହୁଁଛି ।