ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ କଲେଜିୟମ ଶୁକ୍ରବାର ଦିନ ଓଡ଼ିଶା ସମେତ ଜମ୍ମୁ କାଶ୍ମୀର ଏବଂ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିସ କରିଛି।

Advertisment

ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ସିଂହଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଁ ସୁପାରିସ କରାଯାଇଛି। ବମ୍ବେ ହାଇକୋର୍ଟର ବିଚାରପତି ପିବି ଭାରୋଲେଙ୍କୁ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜମ୍ମୁ କାଶ୍ମୀର ହାଇକୋର୍ଟର ବିଚାରପତି ଅଲ୍ଲୀ ମହମ୍ମଦ ମାଗ୍‌ରେଙ୍କୁ ସେଠାରେ ମୁଖ୍ୟ ବିଚାରପତିଭାବେ ନିଯୁକ୍ତି ଦେବା ପାଇଁ କଲେଜିୟମ ସୁପାରିସ କରିଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଅନୁ‌ଷ୍ଠିତ କଲେଜିୟମ ବୈଠକରେ ଏହି ସୁପାରିସ କରାଯାଇଛି। ଏଥିସହିତ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟ ଏବଂ ଜମ୍ମୁ କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ପଙ୍କଜ ମିଥଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପାରିସ କରାଯାଇଛି। ଏଥିସହିତ ଉତ୍ତରାଖଣ୍ଡ ହାଇକୋର୍ଟ, କେରଳ ହାଇକୋର୍ଟ ଏବଂ ଝାଡ଼ଖଣ୍ଡ ହାଇକୋର୍ଟର ୩ ଜଣ ବିଚାରପତିଙ୍କର ବଦଳି କରାଯାଇଛି।