ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ବଂଶାଲିଙ୍କ ବିବାଦୀୟ ଫିଲ୍ମ ‘ପଦ୍ମାବତ୍‌’ ରାଜସ୍ଥାନ, ଗୁଜରାଟ ଏବଂ ହରିୟାଣାରେ ଉନ୍ମୋଚିତ ହେବନାହିଁ ବୋଲି ସମ୍ପୃକ୍ତ ରାଜ୍ୟର ମୁଖ୍ୟମାନେ ଘୋଷଣା କରିବା ପରେ ଆଜି ଚଳଚ୍ଚିତ୍ରର ନିର୍ମାତାମାନେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଆବେଦନକୁ ଗ୍ରହଣ କରି ମାନ୍ୟବର ଅଦାଲତ ଖୁବ୍‌ ଶୀଘ୍ର ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି। ଅପରପକ୍ଷେ, ଆସନ୍ତା ୨୫ ତାରିଖରେ ଫିଲ୍ମଟି ରିଲିଜ୍‌ ହେବା ନେଇ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ବିଭିନ୍ନ ରାଜ୍ୟରେ ଏପରି ଅନୁମତି ନଦେବା ଘଟଣା ନିର୍ମାତାମାନଙ୍କ ଚିନ୍ତା ବଢ଼ାଇ ଦେଇଛି।

Advertisment

ଉଲ୍ଲେଖଯୋଗ୍ୟ, ବଂଶାଲିଙ୍କ ଏହି ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଘନେଇବା ପରେ ସେନ୍‌ସର ବୋର୍ଡର ପରାମର୍ଶ କ୍ରମେ ଫିଲ୍ମଟିରୁ କିଛି ଆପତ୍ତିଜନକ ଦୃଶ୍ୟ ବାଦ୍‌ ସହ ଏହାର ନାମ ‘ପଦ୍ମାବତ୍‌’କୁ ପରିବର୍ତ୍ତନ କରାଯିବା ପରେ ଏହାକୁ ପ୍ରଦର୍ଶନ ପ୍ରମାଣପତ୍ର ମିଳିଥିଲା। ତେବେ ଏହା ସତ୍ତ୍ୱେ ରାଜସ୍ଥାନ, ଗୁଜରାଟ ଏବଂ ହରିଆନାରେ ଉକ୍ତ ଫିଲ୍ମ ରିଲିଜ୍‌ ହେବାକୁ ଦିଆଯିବନି ବୋଲି ଘୋଷଣା କରାଯାଇଛି। ସେହିପରି ରାଜପୁତ୍‌ କର୍ଣ୍ଣି ସେନା ମଧ୍ୟ ଫିଲ୍ମଟିକୁ ସାରା ଦେଶରେ ବନ୍ଦ କରିବାପାଇଁ ଆହ୍ଵାନ ଦେଇଛି। ଏପରି ସ୍ଥିତିରେ ଫିଲ୍ମର ଭବିଷ୍ୟତକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି।