ରାଜ୍ୟସଭାରେ ଅଟକିଲା ତିନି ତଲାକ୍‌ ବିଲ୍‌

O ଆଲୋଚନା ବି ହୋଇପାରିଲାନିO ବିଲ୍‌ ଚୟନ କମିଟିକୁ ପଠାଇବା ପାଇଁ ବିରୋଧୀ ଅଟଳ O ୨ ଯାଏ ଗୃହ ମୁଲତବୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ମୁସ୍‌ଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ୍‌ ) ବିଲ୍‌କୁ ଗୃହୀତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଆଜି ବିଫଳ ହୋଇଛି। କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳଗୁଡ଼ିକ ଏହି ବିଲ୍‌ ଆଗତ ହେବା କ୍ଷଣି ପ୍ରବଳ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି କରିବା ପରେ ବିଲ୍‌ଟି ଗୃହୀତ ହେବା ଦୂର କଥା, ଏହା ଉପରେ ଆଲୋଚନା ମଧ୍ୟ ହୋଇପାରି ନାହିଁ। ବିରୋଧୀ ଦଳଗୁଡ଼ିକ ପ୍ରବଳ ହଙ୍ଗାମା କରିବାରୁ ରାଜ୍ୟସଭାକୁ ଆସନ୍ତା ୨ ତାରିଖ ଯାଏ ମୁଲତବୀ ରଖାଯାଇଛି। ବିରୋଧୀମାନେ ଜାଣିଶୁଣି ଏହି ବିଲ୍‌କୁ ଗୃହୀତ କରାଇ ଦେଉନଥିବା କେନ୍ଦ୍ର ଅଭିଯୋଗ କରିଥିବା ବେଳେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ହେଉନଥିବାରୁ ବିଲ୍‌ର ଭାଗ୍ୟ ନିର୍ଦ୍ଧାରଣ ହୋଇପାରୁନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। କେନ୍ଦ୍ର-ବିରୋଧୀଙ୍କ ଏଭଳି କାଦୁଅଫିଙ୍ଗାରେ ବିଲ୍‌ଟି ଗୃହୀତ ହେବା ନେଇ ଆଶଙ୍କା ଉପୁଜିଛି।
କଂଗ୍ରେସର କହିବା କଥା ହେଉଛି ଲୋକସଭାରେ ଶାସକ ଦଳ ବିଜେପିର ସଂଖ୍ୟାଗରିଷ୍ଠତା ଥିବାରୁ ବିଲ୍‌ ଉପରେ ଠିକ୍‌ ଭାବେ ଆଲୋଚନା ବା ବିତର୍କ କରାଯାଇ ପାରିନାହିଁ। ଏହାକୁ ବିନା ବିତର୍କରେ ଗୃହୀତ କରାଯାଇଛି। ମୁସ୍‌ଲିମ୍‌ ମହିଳାମାନଙ୍କ ପାଇଁ ବିଲ୍‌ଟି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଥିବାରୁ ଏହା ଉପରେ ବ୍ୟାପକ ଆଲୋଚନା ଏବଂ ବିତର୍କ ହେବା ନିହାତି ଦରକାର। ତା’ଛଡ଼ା ଏହାକୁ ଯୁଗ୍ମ ଚୟନ କମିଟି ନିକଟକୁ ପଠାଯିବା ମଧ୍ୟ ଆବଶ୍ୟକ ରହିଛି।
ସୋମବାର କେନ୍ଦ୍ର ଓ ବିରୋଧୀଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଦେଖାନଯିବାରୁ ତିନି ତଲାକ୍‌ ବିଲ୍‌ ଉପରେ କୌଣସି ଆଲୋଚନା ହୋଇପାରିନାହିଁ। ଏହାକୁ ନେଇ ହଟ୍ଟଗୋଳ ପରିସ୍ଥିତି ଉପୁଜିବାରୁ ଗୃହକାର୍ଯ୍ୟ ଦୁଇଥର ସ୍ଥଗିତ ରହିଥିଲା ଏବଂ ଅପରାହ୍ନ ୨.୩୦ରୁ ପୁଣି ଗୃହକାର୍ଯ୍ୟ ବନ୍ଦ ରହିଥିଲା। ପ୍ରଥମେ ଗୃହକାର୍ଯ୍ୟ ସ୍ଥଗିତ ରହିବା ପରେ ଅପରାହ୍ନ ୨ଟାରେ କେନ୍ଦ୍ର ସରକାର ତିନି ତଲାକ୍‌ ବିଲ୍‌ ଆଗତ କରିଥିଲେ। ଏହି ସମୟରେ ଏଆଇଏଡିଏମ୍‌କେ ସାଂସଦମାନେ କାବେରି ପ୍ରସଙ୍ଗ ଉଠାଇଥିଲେ। ନଦୀ ଉପରେ ବନ୍ଧ ନିର୍ମାଣକୁ ପ୍ରବଳ ବିରୋଧ କରି ସେମାନେ ବାଚସ୍ପତିଙ୍କ ଆସନ ନିକଟକୁ ଚାଲିଆସିଥିଲେ। ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ କହିବାନୁଯାୟୀ ତିନି ତଲାକ୍‌ ବିଲ୍‌ ଏଭଳି ଏକ ବିଧେୟକ ଯାହା ବହୁତ ଲୋକଙ୍କ ଜୀବନକୁ ସକାରାତ୍ମକ କିମ୍ବା ନକାରାତ୍ମକ ଭାବେ ବଦଳାଇଦେବ। ଏହାର ଗୁରୁତ୍ବକୁ ବୁଝି ଏହାକୁ ଚୟନ କମିଟି ନିକଟକୁ ପଠାଯିବା ଅତ୍ୟନ୍ତ ଜରୁରୀ ଏବଂ ଏହାଦ୍ବାରା ବିସ୍ତୃତ ଭାବେ ଚର୍ଚ୍ଚା ହୋଇପାରିବ।
ବିଲ୍‌କୁ ଚୟନ କମିଟି ନିକଟକୁ ପଠାଇବା ପାଇଁ ସବୁ ବିରୋଧୀ ଦାବି କରୁଥିବାର ସରକାର ଏଭଳି କରିବା ଆବଶ୍ୟକ ବୋଲି ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓ ବ୍ରେନ୍‌ କହିଛନ୍ତି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ୍‌ ବିରୋଧୀ ଦଳଗୁଡ଼ିକୁ ଟାର୍ଗେ‌ଟ୍ କରି କହିଛନ୍ତି, ବିଲ୍‌କୁ ଜାଣିଶୁଣି ରୋକାଯାଉଛି। ମୁସ୍‌ଲିମ୍‌ ମହିଳାଙ୍କ ପାଇଁ ବିରୋଧୀଙ୍କ କାଣିଚାଏ ସହାନୁଭୂତି ନାହିଁ ବୋଲି ସେ କହିଛନ୍ତି। ତାଙ୍କ କହିବାନୁଯାୟୀ ବିଲ୍‌କୁ ପ୍ରଥମଥର ପାଇଁ ଲୋକସଭାରେ କଂଗ୍ରେସ ସମର୍ଥନ କରିଥିଲା। ଦ୍ବିତୀୟତଃ ଦଳ ଚର୍ଚ୍ଚାରେ ଭାଗନେଇଥିଲା। ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କହିଛନ୍ତି, ବିଲ୍‌କୁ ନେଇ ବିରୋଧୀ ଦଳଗୁଡ଼ିକ ରାଜନୀତି କରୁଛନ୍ତି ବୋଲି ସଂସଦୀୟ ରାଷ୍ଟ୍ରମନ୍ତ୍ରୀ କହୁଛନ୍ତି। କିନ୍ତୁ ତାହା ମିଛ। ସରକାର ହିଁ ବିଲ୍‌କୁ ନେଇ ପ୍ରକୃତରେ ରାଜନୀତି କରୁଛନ୍ତି। ତାଙ୍କ କହିବାନୁଯାୟୀ ରାଜ୍ୟସଭା କୌଣସି ‘ରବର ଷ୍ଟାମ୍ପ୍‌’ ନୁହେଁ ଯେ, ସରକାର ଯେବେ‌ ଚାହିଁବେ ମନଇଚ୍ଛା ବିଧେୟକକୁ ପାରିତ କରାଇନେବେ। ବିଲ୍‌ର ଗୁରୁତ୍ବକୁ ବୁଝି ଏହା ଉପରେ ବ୍ୟାପକ ଆଲୋଚନା ହେଲେ ଉପଯୁକ୍ତ ନିଷ୍କର୍ଷ ବାହାରି ପାରିବ।
ଉଲ୍ଲେଖଯୋଗ୍ୟ, ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ଏହାକୁ କୌଣସି ପରିସ୍ଥିତିରେ ଗୃହୀତ କରାଇ ନଦେବାକୁ ବିରୋଧୀ ଦଳମାନେ ଏକ୍‌ଜୁଟ ହୋଇଥିଲେ। ଆଜି ରାଜ୍ୟ ସଭାରେ ବିଲ୍‌ ଆଗତ ହେବାକୁ ଥିବାରୁ ଗତକାଲି ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ସାଂସଦମାନଙ୍କୁ ହ୍ବିପ୍‌ ଜାରି କରାଯାଇଥିଲା। ୨୪୫ ସଦସ୍ୟବିଶିଷ୍ଟ ଗୃହରେ ୧୨୩ ସଦସ୍ୟଙ୍କ ସମର୍ଥନ ହାସଲ କରିବା ଏନ୍‌ଡିଏ ପାଇଁ ଏତେ ସହଜ ହେଉନାହିଁ।

ସମ୍ବନ୍ଧିତ ଖବର