ୱାସିଂଟନ: ମଧ୍ୟପ୍ରାଚ୍ୟରେ ଯୁଦ୍ଧସ୍ଥିତି ଭୟଙ୍କର ହେଉଥିବାବେଳେ କୁଏତ୍‌ରେ ଥିବା ଆମେରିକାର ସାମରିକ ଘାଟିରେ ଏହାର ତିନିଜଣ ସୈନ୍ୟଙ୍କର ମୃତ୍ୟୁ ହୋଇଛି। ଆମେରିକା ଏହାକୁ ଇରାନବିରୋଧୀ ଅଭିଯାନର ପ୍ରଥମ ମୃତ୍ୟୁ ଘଟଣା ବୋଲି କହିଛି। ଅନ୍ୟପକ୍ଷରେ ଆମେରିକାର ୩ଟି ଲଢ଼ୁଆ ଯୁଦ୍ଧ ବିମାନକୁ କୁଏତ୍‌ ସୋମବାର ସକାଳେ ଭୁଲ୍‌ରେ ଗୁଳିକରି ଖସେଇ ପକାଇଛି। ତେବେ ତିନି ଏଫ୍‌-୧୫ ଷ୍ଟ୍ରାଇକ୍‌ ଇଗଲ୍ସର ୬ ଜଣ ସଦସ୍ୟ ସୁରକ୍ଷିତ ଭାବେ ବାହାରିଯାଇଛନ୍ତି ବୋଲି ଆମେରିକା ପକ୍ଷରୁ କୁହାଯାଇଛି। 

Advertisment

ପେଣ୍ଟାଗନ ସୋମବାର ଏହାକୁ ବନ୍ଧୁତ୍ୱପୂର୍ଣ୍ଣ ଗୁଳିମାଡ଼ ଘଟଣା ବୋଲି ବର୍ଣ୍ଣନା କରି କହିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତୃତୀୟ ଦିନରେ ପହଞ୍ଚି ଥିବାବେଳେ କୁଏତ୍‌ ଏୟାର୍ ଡିଫେନ୍ସ ଭୁଲ୍‌ରେ ଏହାର ଲଢ଼ୁଆ ବିମାନକୁ ଆକ୍ରମଣ କରିଥିଲା ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ବିମାନ ତଳକୁ ଖସି ପଡ଼ିବା ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବେ ବିମାନରୁ ବାହାରି ଆସିଥିଲେ। ପାଇଲଟ୍‌ଙ୍କ ଅବସ୍ଥା ସ୍ଥିର ରହିଛି। ସୋମବାର ସିଏନ୍‌ଏନ୍‌ ଦ୍ବାରା ପ୍ରସାରିତ ଏକ ଭିଡିଓରେ ଏକ ଲଢ଼ୁଆ ବିମାନର ତଳଭାଗରେ ନିଆଁ ଲାଗିଯାଇଥିବାବେଳେ ଏହା ତଳକୁ ଖସୁଥିବାର ଦେଖିବାକୁ ମିଳିଥିଲା। 

ଆମେରିକାର ଏକ ପ୍ରମୁଖ ବାୟୁସେନା ଘାଟି ଅଲି ଅଲ ସାଲେମ୍‌ଠାରୁ ଏହା ୧୦ କିମି ଦୂରରେ ପଡ଼ିଥିଲା। ଏହା ଏଫ୍‌-୧୫ଇ କିମ୍ବା ଏଫ୍ଏ-୧୮ ଲଢ଼ୁଆ ବିମାନ ହୋଇଥାଇପାରେ ବୋଲି ସିଏନ୍‌ଏନ୍‌ ପକ୍ଷରୁ କୁହାଯାଇଛି। କୁଏତ୍‌ର ମିନା ଅଲ ଅହମଦି ରିଫାଇନାରୀ ଉପରେ ବିମାନର ଜଳନ୍ତା ଅଂଶ ପଡ଼ି ୨ ଜଣ କର୍ମଚାରୀ ଆହତ ହୋଇଛନ୍ତି।