ନୂଆଦିଲ୍ଲୀ: ମିଜାର୍ମୃରାଦ ପୁଲିସ ଷ୍ଟେସନ ଅଞ୍ଚଳର ବହେଡା ଷ୍ଟପ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ଚଳନ୍ତା ଟ୍ରେନରୁ ପଡ଼ି ଏକାସାଙ୍ଗ‌ରେ ବାପା ଓ ଝିଅଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତ ବାପାଙ୍କ ନାମ ହିରା ରେନ ବୋଲି ଜଣାପଡ଼ିଛି।

Advertisment

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୩୨ ବର୍ଷର ହିରା ରେନ୍ ତାଙ୍କ ପତ୍ନୀ ଜରିନା ଓ ତିନିବର୍ଷର ଝିଅ ସହିତ ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିଲେ। ଟ୍ରେନରେ ଭିଡ଼ ଥିବାରୁ ସିଟ ପାଇ ନଥିଲେ ହିରା। ଫଳରେ ସେ ଟ୍ରେନ ଦ୍ବାର ନିକଟରେ ବସି ରହିଥିଲେ। ଏହି ସମୟରେ କଥାବାର୍ତ୍ତା ହେଉଥିବା ବେଳେ ଅସାବଧାନତା ହେତୁ ତିନିବର୍ଷର ଝିଅ ଟ୍ରେନ ତଳକୁ ଖସି ପଡ଼ିଥିଲା। ଝିଅକୁ ବଞ୍ଚାଇବା ପାଇଁ  ବାପା ଆଗପଛ କିଛି ବିଚାର ନକରି  ଚଳନ୍ତା ଟ୍ରେନରୁ ତଳକୁ ଡେଇଁ ପଡ଼ିଥିଲେ। ଏହାପରେ ପତ୍ନୀ ଟ୍ରେନକୁ ଅଟକାଇବା ପାଇଁ ଜରୁରୀକାଳିନ ଚେନକୁ ଟାଣିଥିଲେ।

ଅନ୍ୟଲୋକଙ୍କ ସାହାଯ୍ୟରେ ତାଙ୍କ ଝିଅ ପାଖରେ ଯାଇ ପହଞ୍ଚିଥିଲେ ମା’। କିନ୍ତୁ ‌ସେତେବେଳକୁ ନୀରିହ ଶିଶୁର ମୃତ୍ୟୁ ହୋଇସାରିଥିଲା। ଗୁରୁତର ଅବସ୍ଥାରେ ହିରାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନିଆ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଝିଅ ଓ ସ୍ବାମୀଙ୍କୁ ହରାଇ ଜରିନା ପାଗଳପ୍ରାୟ ହୋଇଯାଇଛନ୍ତି।

ଇନ୍ସପେକ୍ଟର ମିଜୁରାମରାଦ ରାଜୀବ ସିଂ କହିଛନ୍ତି ଯେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ପରିବାର ଲୋକଙ୍କୁ ଏହାର ସୂଚନା ଦିଆଯାଇଛି। ତେବେ ଏହି ଘଟଣା ଏକ ଦୁଃଖଦ ଘଟଣା ବୋଲି କୁହାଯାଉଛି।