ଦିଲ୍ଲୀ-ହରିୟାଣା ଦେଇ ୟୁପିରେ ପଶିଲେ ପଙ୍ଗପାଳ

ଦିଲ୍ଲୀରେ ହାଇ ଆଲର୍ଟ, ଏମର୍ଜେନ୍ସିଂ ବୈଠକ ଡାକିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଗୁରୁଗ୍ରାମ ସମେତ ହରିୟାଣାର ଅନେକ ଅଞ୍ଚଳରେ ଆଜି ପଙ୍ଗପାଳ ଦଳ ଆକ୍ରମଣ କରିଛନ୍ତି। ଗୁରଗାଓଁ ଆକାଶ ଆଜି ସକାଳେ ପଙ୍ଗପାଳରେ ଆଚ୍ଛାଦିତ ହୋଇଯାଇଥିଲା। ଗୁଗୂରାଓଁରେ ପ୍ରାୟ ୨ କିମି ବ୍ୟାପି ଆକାଶରେ ପଙ୍ଗପାଳଙ୍କ ବାଦଲ ଢାଙ୍କି ହୋଇଯାଇଥିଲା। ପଙ୍ଗପାଳ ଦଳ ଦିଲ୍ଲୀ- ଗୁରୁଗ୍ରାମ ଦେଇ ଆଜି ଉତ୍ତରପ୍ରଦେଶରେ ମଧ୍ୟ ପଶିଛନ୍ତି। ପଙ୍ଗପାଳ ଆକ୍ରମଣରୁ ରକ୍ଷା ପାଇବାକୁ ଆଜି ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ସରକାର ପଙ୍ଗପାଳ ଆକ୍ରମଣ ନେଇ ଏକ ଜରୁରୀ ବୈଠକ କରିଛନ୍ତି। ବୈଠକରେ କୃଷି ବିଭାଗର ଉନ୍ନୟନ ସଚିବ, ଡିଭିଜନ କମିସନର, ନିର୍ଦ୍ଦେଶକ ଏବଂ ଦକ୍ଷିଣ ଦିଲ୍ଲୀ ଓ ପଶ୍ଚିମ ଦିଲ୍ଲୀର ଜିଲ୍ଲାପାଳ ଯୋଗ ଦେଇଥିଲେ। ଦିଲ୍ଲୀରେ ପଙ୍ଗପାଳ ଆକ୍ରମଣ ନେଇ ସମସ୍ତ ଜିଲ୍ଲାପାଳ ଏବଂ ଏସ୍‌ଡିଏମ୍‌ଙ୍କୁ ନିର୍ଦ୍ଦେଶାବଳୀ ଜାରି କରିବାପାଇଁ କୃଷି ବିଭାଗକୁ କୁହାଯାଇଛି। ଲୋକଙ୍କୁ ସହଯୋଗ କରିବାପାଇଁ ଜିଲ୍ଲାପାଳମାନେ ପର୍ଯ୍ୟାପ୍ତ କର୍ମଚାରୀଙ୍କୁ ମୁତୟନ କରିବାପାଇଁ କୁହାଯାଇଛି। ପଙ୍ଗପାଳଙ୍କୁ ଘଉଡ଼ାଇବାପାଇଁ ଡିଜେ, ଡ୍ରମ୍‌ ଏବଂ ଢୋଲ ବଜାଇବାପାଇଁ ଜଙ୍ଗଲ ବିଭାଗକୁ କୁହାଯାଇଛି। ସେହିପରି କୃଷି ବିଭାଗ ଅଧିକାରୀମାନଙ୍କୁ ଗୁରୁଗ୍ରାମ୍‌ ନିକଟସ୍ଥ ଜମି ଗସ୍ତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀରେ ଦକ୍ଷିଣ ପଶ୍ଚିମ ଗ୍ରାମବାସୀମାନେ ପଙ୍ଗପାଳ ସହ ମୁକାବିଲା ପାଇଁ ଗତ କିଛି ଦିନ ପୂର୍ବେ ତାଲିମ ନେଇଥିଲେ। ଦକ୍ଷିଣ ପଶ୍ଚିମ ଜିଲ୍ଲାପାଳ କହିଛନ୍ତି ସେମାନେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ସଚେତନ ଥିଲେ ଏବଂ ଏନେଇ ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି। ତେବେ ଗୁରଗାଓଁରେ ସ୍ଥାନୀୟ ଲୋକମାନେ ପଙ୍ଗପାଳଙ୍କୁ ଘଉଡ଼ାଇବାପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଛନ୍ତି। ଥାଳି ପିଟିବାଠାରୁ ଆରମ୍ଭ କରି ବାଣ ଫୁଟାଇବା ଏବଂ ବିଭିନ୍ନ ଉପାୟରେ ଉଚ୍ଚ ଶବ୍ଦ କରି ସେମାନେ ପଙ୍ଗପାଳଙ୍କୁ ଘଉଡ଼ାଇବାପାଇଁ ଚେଷ୍ଟା କରିଛନ୍ତି। ଗୁରଗାଓଁର ବିଘା ଖେରି, ରାଜେନ୍ଦ୍ର ପାର୍କ‌୍, ସୁରାଟ ନଗର, ଲକ୍ଷ୍ମଣ ବିହାର ଏବଂ ଦୌଲତାବାଦ୍‌ ଫ୍ଲାଏଓଭର ନିକଟରେ ପଙ୍ଗପାଳ ଆକ୍ରମଣ କରିଥିବା ଜଣାପଡ଼ିଛି। ହରିୟାଣାର ଅନ୍ୟ ଜିଲ୍ଲା ଏବଂ ଗ୍ରାମମାନଙ୍କରେ ମଧ୍ୟ ପଙ୍ଗପାଳ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି। ଗୁରଗାଓଁରେ ପଙ୍ଗପାଳ ଉଡ଼ୁଥିବାର ଫଟୋ‌ ଏବଂ ଭିଡିଓ ଟ୍ବିଟର୍‌ରେ ଭର୍ତ୍ତି ହୋଇଯାଇଛି। ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟ ଭାରତୀୟ ରାଜ୍ୟଗୁଡ଼ିକରେ ପଙ୍ଗପାଳ ଆକ୍ରମଣ କରିବାପରେ ପ୍ରଥମ ଥର ପାଇଁ ଗୁରୁଗ୍ରାମ ସହରାଞ୍ଚଳରେ ପଙ୍ଗପାଳ ପହଞ୍ଚିଛନ୍ତି। ଦକ୍ଷିଣ ଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଉଭୟ ଦକ୍ଷିଣ ଏବଂ ପଶ୍ଚିମ ଜିଲ୍ଲା ପ୍ରଶାସନ ହାଇ ଆଲର୍ଟରେ ରହିବାପାଇଁ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ଦକ୍ଷିଣ ଦିଲ୍ଲୀର ଆସୋଲା ଭଟ୍ଟି ଅଞ୍ଚଳରେ କମ୍‌ ସଂଖ୍ୟକ ପଙ୍ଗପାଳ ପହଞ୍ଚିଛନ୍ତି ବୋଲି କୁହାଯାଉଛି। ତେବେ ଏହି ଫସଲନଷ୍ଟକାରୀ କୀଟ ପ୍ରଥମେ ରାଜସ୍ଥାନରେ ଫସଲ ନଷ୍ଟ କରିବାପରେ ପରେ ପଂଜାବ, ଗୁଜରାଟ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ମଧ୍ୟ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ବିଶେଷଜ୍ଞମାନେ କହିଛନ୍ତି , ଭାରତରେ ୪ ପ୍ରକାରର ପଙ୍ଗପାଳ ଦେଖାଯାଆନ୍ତି। ଏଗୁଡ଼ିକ ହେଉଛନ୍ତି ମରୁଭୂମି ପଙ୍ଗପାଳ, ସ୍ଥାନାନ୍ତର ପଙ୍ଗପାଳ, ବମ୍ବେ ପଙ୍ଗପାଳ ଏବଂ ବୃକ୍ଷ ପଙ୍ଗପାଳ। ମରୁଭୂମି ପଙ୍ଗପାଳ ଅତି ବିନାଶକାରୀ। ଏହା ଦ୍ରୁତ ଗତିରେ ବହୁଗୁଣିତ ହୋଇଥାନ୍ତି ଏବଂ ଦିନକରେ ପ୍ରାୟ ୧୫୦ କିମି ପର୍ଯ୍ୟନ୍ତ ଏଗୁଡ଼ିକ ମାଡ଼ିଯାଆନ୍ତି। ନିଜ ଶରୀରର ଓଜନଠାରୁ ଏହା ମାତ୍ରାଧିକ ଖାଇଥାଏ। ଗୋଟିଏ ବର୍ଗ କିମି ମଧ୍ୟରେ ପ୍ରା‌ୟ ୪୦ ନିୟୁତ ପଙ୍ଗପାଳ ଦଳ ରହନ୍ତି ଏବଂ ଏମାନେ ଦିନକରେ ୩୫ ହଜାର ଲୋକଙ୍କ ଖଦ୍ୟ ଖାଇଦିଅନ୍ତି।

ସମ୍ବନ୍ଧିତ ଖବର