ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ରବିବାର ଦିନ ପୃଥକ ବଜ୍ରପାତ ଘଟଣାରେ ୭୫ ଜଣଙ୍କ ଜୀବନ ଚାଲିଯାଇଛି। ଉତ୍ତରପ୍ରଦେଶରେ ସର୍ବାଧିକ ୪୧ ଜଣଙ୍କର ମୃତ୍ୟୁ ‌ହୋଇଥିବାବେଳେ ରାଜସ୍ଥାନରେ ୨୩ ଏବଂ ମଧ୍ୟପ୍ରଦେଶରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ କ୍ଷତିପୂରଣ ଘୋଷଣା କରିଛନ୍ତି।

Advertisment

ଉତ୍ତରପ୍ରଦେଶ ପ୍ରୟାଗରାଜରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ହୋଇଛି। କାନପୁର, ଦେହତ, ଫତେପୁରରେ ୫ ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। କୌଶମ୍ଭିରେ ୪, ଫିରୋଜାବାଦ୍‌ରେ ୩, ଉନ୍ନାଓ, ହମିରପୁର, ସୋନଭଦ୍ରାରେ ଜଣେ ଲେଖାଏଁ ବ୍ୟକ୍ତି ବଜ୍ରପାତରେ ଆଖି ବୁଜିଛନ୍ତି। ଅନ୍ୟପକ୍ଷେ ପ୍ରତାପଗଡ଼, ହରଦୋଇ ଏବଂ ମିର୍ଜାପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍‌ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଘୋଷଣା‌ କରିଛନ୍ତି। ଉତ୍ତରପ୍ରଦେଶ ରିଲିଫ୍‌ କମିସନର ରଣବୀର ପ୍ରସାଦ କହିଛନ୍ତି, ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ।

ରାଜସ୍ଥାନର ବିଭିନ୍ନ ସ୍ଥାନ‌‌ରେ ବଜ୍ରପାତ ଯୋଗୁ ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ୧୦ରୁ ଅଧିକ ଆହତ ହୋଇଛନ୍ତି। ଜୟପୁର ସ୍ଥିତ ଦ୍ବାଦଶ ଶତାବ୍ଦୀର ସ୍ମାରକୀ ଅାମେର୍‌ ଦୁର୍ଗ ନିକଟସ୍ଥ ୱାଚ୍‌ ଟାୱାର୍‌ରେ ସେଲ୍‌ଫି ‌ନେଉଥିବା ସମୟରେ ବଜ୍ରପାତ ଯୋଗୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତର କିଛି ଫଟୋ ମୋବାଇଲ୍‌ କ୍ୟାମେରାରେ କଏଦ ହୋଇଛି। ଦେଖିବାକୁ ମିଳିଛି ଯେ, ବଜ୍ରପାତ ଏତେ ଭୟଙ୍କର ଥିଲା ଯେ, କିଛି ଲୋକ ଭୟ‌ରେ ୱାଚ୍‌ ଟାୱାର୍‌ ଉପରୁ ଡେଇଁ ପଡ଼ିଥିଲେ। ଏହାବାଦ୍‌ ରାଜ୍ୟର ବିଭିନ୍ନ ଜିଲ୍ଲା କୋଟା, ଝଲାୱାର, ବାରନ୍‌, ଢୋଲପୁର, ସାୱାଇ ମାଧୋପୁର ଏବଂ ଟଙ୍କ୍‌ରେ ମଧ୍ୟ ବଜ୍ରପାତ ଜନିତ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶରେ ବଜ୍ରପାତ ଯୋଗୁଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୪ ନାବାଳକ ଅଛନ୍ତି। ଗ୍ବାଲିୟର ଏବଂ ଚମ୍ବଲରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରେୱାରେ ୨ ଏବଂ ବେଟୁକା, ହୋଶାଙ୍ଗାବାଦ୍‌ରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ‌ବଜ୍ରପାତ ଜନିତ ମୃତ୍ୟୁ ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି। ବଜ୍ରପାତରେ ଗୋଟିଏ ଦିନରେ ଏତେ ଅଧିକ ସଂଖ୍ୟକ ଲୋକଙ୍କ ଜୀବନ ଯିବା ଚିନ୍ତାର ବିଷୟ ପାଲଟିଛି।