ବଜ୍ରପାତ: ବିହାରରେ ୮୩, ୟୁପିରେ ୨୪ ମୃତ

ପାଟନା: ବିହାର ଏବଂ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ଗତକାଲି ଅପରାହ୍ନାରୁ ଆଜି ସନ୍ଧ୍ୟା ସୁଦ୍ଧା ୧୦୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତର, ପଶ୍ଚିମ ଏବଂ କେନ୍ଦ୍ର ବିହାରର ପ୍ରାୟ ସମସ୍ତ ଜିଲ୍ଲାରୁ ବଜ୍ରପାତଜନିତ ମୃତ୍ୟୁ ରିପୋର୍ଟ ମିଳିଛି। ଗୋପାଳଗଞ୍ଜ ଜିଲ୍ଲାରେ ସର୍ବାଧିକ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦରଭଙ୍ଗାରେ ୫, ସିୱାନ୍‌ରେ ୪ ଜଣ, ମଧୁବନି ଏବଂ ପୂର୍ବ ଚମ୍ପାରନ୍‌ ଜିଲ୍ଲାରେ ୧୬ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁଯାୟୀ ଗୋପାଳଗଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଲୋକେ ଚାଷଜମିରେ କାମ କରୁଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି ।

ବରୋଲି ଏବଂ ଉଚ୍‌କାଗାଓଁ ବ୍ଲକ୍‌ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋପାଳଗଞ୍ଜରେ ୧୩ ଜଣ ମାଝା, କ‌ାଟେୟା, ବିଜୟ ବ୍ଲକ୍‌ରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ସିୱାନରେ ୬ ଜଣଙ୍କ ହୁସେନଗଂଜରେ ମୃତ୍ୟୁ ହୋଇଥିବା ବେଳେ ଦରଭଙ୍ଗାରେ ୩ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଆହତ ହୋଇଛନ୍ତି। ମଧୁବନି ଜିଲ୍ଲାରେ ଏକ ଦମ୍ପତି ସେମାନଙ୍କ ଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ସେମାନଙ୍କ ଜୀବନ ଯାଇଛି। ସେହିପରି ପୂର୍ବ ଚମ୍ପାରନ୍‌ ଜିଲ୍ଲାରେ ମଧ୍ୟ ୫ ଜଣ କୃଷକଙ୍କ ମୃତ୍ୟୁ ହୋଇଛି। ବିହାର ଏବଂ ୟୁପିର ଅଧିକାଂଶ ଅଂଚଳରେ ମୌସୁମୀ ସକ୍ରିୟ ଥିବା ବେଳେ ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ଘର ଭୁଶୁଡ଼ି ମଧ୍ୟ ୪୦ରୁ ଅଧିକ ଆହତ ହୋଇଛନ୍ତି। ଉଭୟ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜ୍ରପାତରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର