ତରଳିବାରେ ଲାଗିଛି ଓଡ଼ିଶା କ୍ଷେତ୍ରଫଳଠାରୁ ବଡ଼ ବରଫ ପାହାଡ଼

ନ୍ୟୁୟର୍କ: ତରଳିବାରେ ଲାଗିଛି ଏକ ବିଶାଳ ଗ୍ଳାସିୟର | ଏହି ଗ୍ଳାସିୟରର ଆକାର କଥା କହିବାକୁ ଗଲେ ଏହା ଓଡ଼ିଶାର କ୍ଷେତ୍ରଫଳଠାରୁ ପ୍ରାୟ ୩୬ ହଜାର ବର୍ଗ କିଲୋମିଟର ବଡ଼ ବୋଲି ଜଣାପଡିଛି | ଏହି ଗ୍ଳାସିୟରର ନାମ ହେଉଛି ଥ୍ୱୀଟେସ | ଆଣ୍ଟାର୍କଟିକାର ପଶ୍ଚିମ ଅଞ୍ଚଳରେ ଥିବା ଏହି ଗ୍ଳାସିୟର ଏବେ ପରିବେଶବିତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି | କାରଣ ଯଦି ଏହା ସମ୍ପୂର୍ଣ୍ଣ ତରଳିଯାଏ ତେବେ ସବୁ ସମୁଦ୍ରର ଜଳସ୍ତର ଆଗାମୀ ୫୦ ବର୍ଷ ମଧ୍ୟରେ ୨ ଫୁଟ ଓ ୭୦ ବର୍ଷ ବେଳକୁ ପ୍ରାୟ ୫ ଫୁଟ ଯାଏଁ ବଢ଼ିଯିବ | ବଡ଼ କଥା ଯେ ଗତ ୩୦ ବର୍ଷ ମଧ୍ୟରେ ଏହି ଗ୍ଳାସିୟର ୨ ଗୁଣ ଯାଏଁ ତରଳିବାରେ ଲାଗିଛି |

Photo-wikipedia

ଥ୍ୱୀଟେସ ଗ୍ଳାସିୟରର କ୍ଷେତ୍ରଫଳ ୧୯୨୦୦୦ ବର୍ଗ କିଲୋମିଟର ହୋଇଥିବାବେଳେ ସମୁଦ୍ର ମଧ୍ୟରେ ୪୬୮ କିଲୋମିଟର ଯାଏଁ ବ୍ୟାପି ରହିଛି | ଏହି ଗ୍ଳାସିୟରର ବଡ଼ ବଡ଼ ବରଫ ଗଦା ଭୁଶୁଡିବାରେ ଲାଗିଥିବାବେଳେ ସମୁଦ୍ର ମଧ୍ୟରେ ଏହି ଗ୍ଳାସିୟର ମଧ୍ୟ ତୀବ୍ର ବେଗରେ ତରଳୁଛି |

ବୈଜ୍ଞାନିକମାନେ କହିଛନ୍ତି ଯେ ଆଗାମୀ ୨୫୦ ବର୍ଷ ମଧ୍ୟରେ ବିଶ୍ୱ ତାପମାତ୍ରା ୨ରୁ ୨.୭ ଡିଗ୍ରୀ ସେଲସିୟସ ବଢ଼ିଯିବ | ଯାହାଫଳରେ ସମୁଦ୍ରରେ ପାଣିର ସ୍ତର ବଢ଼ିଯିବ | ସ୍ଥିତି ଏମିତି ହେବ ଯେ ମାଳଦ୍ଵୀପ ଭଳି କିଛି ଦେଶ ସମୁଦ୍ର ମଧ୍ୟରେ ସମ୍ପୂର୍ଣ୍ଣ ବୁଡ଼ିଯିବେ | ପରିବେଶବିତ ଆଶଙ୍କା କରିଛନ୍ତି ଯେ ଥ୍ୱୀଟେସ ଗ୍ଳାସିୟର ତରଳିଗଲେ ୧୨ଟି ବିକାଶଶୀଳ ଦେଶର ୯ କୋଟି ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ |

ସମ୍ବନ୍ଧିତ ଖବର