ତିୟାନ୍‌ମେନ୍‌ ଛକ ନରସଂହାରକୁ ୩୦ ବର୍ଷ ପୂରିଲା:ରହସ୍ୟ ଘେରରେ ‘ଟ୍ୟାଙ୍କ୍‌ ମ୍ୟାନ୍‌’

ବେଜିଂ: ଚୀନ୍‌ର ତିୟାନମେନ୍‌ ଛକରେ ଘଟିଥିବା ନରସଂହାର ଘଟଣାର ଆଜି ୩୦ ବର୍ଷ ପୂର୍ତ୍ତି ହୋଇଛି। ବେଜିଂରେ ଏହି ନରସଂହାର ସମୟରେ ଟ୍ୟାଙ୍କ ସମ୍ମୁଖରେ ନିରସ୍ତ୍ର ଭାବେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ବିଶ୍ବବ୍ୟାପୀ ଗଣମାଧ୍ୟମରେ ସ୍ବାଧୀନତା ଏବଂ ଅସହମତିର ପ୍ରତୀକ ଭାବେ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏବେ ତାଙ୍କୁ ସମସ୍ତେ ମନେ ପକାଉଛନ୍ତି। ତେବେ ଟ୍ୟାଙ୍କ୍‌ ମ୍ୟାନ୍‌ ଭାବେ ପରିଚିତ ଏହି ଅଜଣା ବ୍ୟକ୍ତି ଏବେ ବି ପୂର୍ବାପେକ୍ଷା ବଡ଼ ରହସ୍ୟ ହୋଇ ରହିଛନ୍ତି।
ତିୟାନ୍‌ମେନ୍‌ ଛକରେ ଗଣତାନ୍ତ୍ରିକ ଅଧିକାର ଦାବି କରି ଛାତ୍ରମାନଙ୍କ ବିରୋଧ ପ୍ରଦର୍ଶନକୁ ଚୀନ୍‌ ୧୯୮୯ ମସିହା ଜୁନ୍‌ ୪-୫ ତାରିଖରେ ଅତ୍ୟନ୍ତ ବର୍ବରତାର ସହ ଦମନ କରିଥିଲା। ଏଥିରେ ପ୍ରାୟ ୨,୬୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଟ୍ୟାଙ୍କ୍ ଦ୍ବାରା ଗୋଳା ବର୍ଷା କରି ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ସଂହାର କରାଯାଇଥିଲା। ବର୍ତ୍ତମାନର ସାଇବର ସୂଚନା ଯୁଗରେ ଯେଉଁଠି କୌଣସି କଥା ଲୁଚି ରହିପାରୁ ନାହିଁ ଏବଂ ବିଶ୍ବର ଯେକୌଣସି କୋଣରେ ବି ତଥ୍ୟ ପହଞ୍ଚିବା ବ୍ୟବସ୍ଥା ରହିଛି, ସେଠାରେ ଏବେ ବି ତିୟାନମେନ୍‌ ଛକ ନରସଂହାର ନେଇ ବହୁତ କଥା ଅନ୍ଧାରରେ ରଖିବାକୁ ଚୀନ୍‌ ପ୍ରୟାସ କରିଛି। ଏହି ଘଟଣାର ୩୦ ବର୍ଷ ବିତିଯିବା ପରେ ବି ଟ୍ୟାଙ୍କ୍‌ ମ୍ୟାନ୍‌ଙ୍କୁ ନେଇ କେବଳ ଅନେକ କଥା ଅନୁମାନ କରାଯାଉଛି ଏବଂ ତାଙ୍କର ସବୁ ତଥ୍ୟ ଅଜଣା ରହିଛି । ଆଜି ବି ଟ୍ୟାଙ୍କ ମ୍ୟାନ୍‌ଙ୍କୁ ନେଇ ଅନେକ ରହସ୍ୟ ଓ ରୋମାଞ୍ଚ ଭରା ଆଲୋଚନା ହେଉଥିବା ବେଳେ ବାସ୍ତବତା କ’ଣ କାହାକୁ ମାଲୁମ ନାହିଁ।
ଟ୍ୟାଙ୍କ୍‌ ମ୍ୟାନ୍‌ଙ୍କ ଫଟୋ ୫ ଜୁନ୍‌, ୧୯୮୯ରେ ନିଆଯାଇଥିଲା। ତିୟାନ୍‌ମେନ୍‌ ଛକରେ ଚୀନ୍‌ ସେନା ବିକ୍ଷୋଭକାରୀ ଛାତ୍ରଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବେ ନିପାତ କରିବା ପରଦିନ ଏହି ଫଟୋ ନିଆଯାଇଥିଲା। ବେଜିଂରେ ସରକାରୀ ହିଂସାର ତାଣ୍ଡବ ଚାଲିଥିବା ବେଳେ ଅଚାନକ ଟ୍ୟାଙ୍କ୍‌ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ସେ ଧଳା ରଙ୍ଗର ସାର୍ଟ ପିନ୍ଧିଥିଲେ ଏବଂ ତାଙ୍କ ହାତରେ ସପିଂ ବ୍ୟାଗ ରହିଥିଲା । ସେ ନିର୍ଭୟରେ ଟ୍ୟାଙ୍କ୍‌ ସମ୍ମୁଖକୁ ଆସି ଛିଡ଼ା ହୋଇଥିଲେ।

ବିଦେଶୀ ସାମ୍ବାଦିକ ନେଇଥିଲେ ଟ୍ୟାଙ୍କ୍‌ ମ୍ୟାନ୍‌ଙ୍କ ‌ଫଟୋ

ଟ୍ୟାଙ୍କ୍‌ ମ୍ୟାନ୍‌ଙ୍କ ଫଟୋ ଏକ ହୋଟେଲର ବାଲ୍‌କୋନି ଉପରୁ କେତେକ ବିଦେଶୀ ଗଣମାଧ୍ୟମ ପ୍ରତିନିଧି ଉଠାଇଥିଲେ। ଯେତେବେଳେ ଟ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କ ଆଡ଼କୁ ବଢ଼ି ଚାଲିଥିଲା ସେତେବେଳେ ଏହି ଫଟୋ ନିଆଯାଇଥିଲା। ବିଂଶ ଶତାବ୍ଦୀର ସବୁଠାରୁ ଚର୍ଚ୍ଚିତ ଫଟୋ ମଧ୍ୟରେ ଏହି ଫଟୋ ଅନ୍ୟତମ ଥିଲା। ବିଶ୍ବ ବ୍ୟାପୀ ଏହି ଫଟୋ ସ୍ବାଧୀନତାର ପ୍ରତୀକ ପାଲଟିଥିବା ବେଳେ ଦମନ ବିରୋଧରେ ଏହା ଏକ ବଳିଷ୍ଠ ପ୍ରେରଣା ପାଲଟିଥିଲା।

ଫଟୋ ଉପରେ ଚୀନ୍‌ର କଟକଣା

ଚୀନ୍‌ ସରକାରୀ ପ୍ରଚାର ମାଧ୍ୟମ ଅଧିକାରୀମାନେ ସର୍ବଦା କହି ଆସିଛନ୍ତି ଯେ ଟ୍ୟାଙ୍କ୍‌ ମ୍ୟାନ୍‌ ଫଟୋ ଚୀନ୍‌ର ଶାନ୍ତିପୂର୍ଣ୍ଣ ନୀତି ଏବଂ ସଂଜମତାକୁ ବୟାନ କରୁଛି। ଜଟିଳ ସ୍ଥିତିରେ ବି ସେନା ଟ୍ୟାଙ୍କ୍‌ ମ୍ୟାନ୍‌ଙ୍କୁ ନିପାତ ନକରି ବିରୋଧର ସ୍ବରକୁ ମଧ୍ୟ ଶୁଣିଥିଲା ବୋଲି ସେମାନେ କହିଛନ୍ତି। ତେବେ ବିଗତ କିଛି ବର୍ଷ ମଧ୍ୟରେ ଚୀନ୍‌ ସରକାର ଟ୍ୟାଙ୍କ୍‌ ମ୍ୟାନ୍‌ଙ୍କ ସ୍ମୃତିକୁ ପୋଛି ଦେବାପାଇଁ ଅନେକ ପ୍ରୟାସ କରିଛନ୍ତି । ଚୀନ୍‌ ସରକାର ଟ୍ୟାଙ୍କ୍‌ ମ୍ୟାନ୍‌ଙ୍କ ଅନ୍‌ଲାଇନ୍‌ ଫଟୋ ଜାରି କରିବା ଉପରେ କଟକଣା ଲଗାଇଛନ୍ତି। ଏହି ଫଟୋର ପ୍ରଚାର ପ୍ରସାର କରୁଥିବା ଲୋକଙ୍କୁ ଦଣ୍ଡିତ ମଧ୍ୟ କରାଯାଇଛି। ଫଟୋକୁ ନେଇ ଦେଶ ବିରୋଧୀ ବୟାନ ନଦେବା ପାଇଁ ନାଗରିକଙ୍କୁ ସତର୍କ କରାଇ ଦିଆଯାଇଛି। ଚଳିତ ବର୍ଷ ଏହି ଟ୍ୟାଙ୍କ୍‌ମ୍ୟାନ୍‌ ଛବି ସହ ‘ନେଭର ଫରଗେଟ୍‌, ନେଭର ଗିଭ୍‌ ଅପ୍‌’ ‌ଲେଖା ଥିବା ଏକ ମଦ ବୋତଲ୍‌ ବିକ୍ରି ପାଇଁ ୪ ଜଣଙ୍କୁ ଦଣ୍ଡାଦେଶ ହୋଇଥିଲା।
ତେବେ ଚୀନ୍‌ ବାହାରେ ପଶ୍ଚିମ ରାଷ୍ଟ୍ରଗୁଡ଼ିକରେ ଅନେକ ପୁସ୍ତକ, ଟେଲିଭିଜନ୍‌ ସୋ, ଡକ୍ୟୁମେଣ୍ଟାରି ଏବଂ କଳା ପ୍ରଦର୍ଶନୀରେ ‘ଟ୍ୟାଙ୍କ ମ୍ୟାନ୍‌’ ପ୍ରସଙ୍ଗ ଚର୍ଚ୍ଚାରେ ରହି ଆସିଛି। ଟ୍ୟାଙ୍କ୍‌ ମ୍ୟାନ୍‌ଙ୍କୁ ନେଇ ପ୍ରସ୍ତୁତ ବ୍ରିଟିଶ୍‌ ଟେଲିଭିଜନ୍‌ ସିରିଜ୍‌ ‘ଚିମେରିକା’ ଅନେକ ଚର୍ଚ୍ଚା ସୃଷ୍ଟି କରିଛି। ତାଇୱାନ୍‌ରେ ଟ୍ୟାଙ୍କ୍‌ ମ୍ୟାନ୍‌ ସ୍ବାଧୀନତା ଓ ମୂଲ୍ୟବୋଧର ବଡ଼ ପ୍ରତୀକ ପାଲଟିଛନ୍ତି। ତେବେ ଟ୍ୟାଙ୍କ୍‌ ମ୍ୟାନ୍‌ଙ୍କ କ୍ଷେତ୍ରରେ ସେଦିନ କ’ଣ ଘଟିଥିଲା ସେ ସଂପର୍କରେ ସବୁକଥା ସ୍ପଷ୍ଟ କରିବା ପାଇଁ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଆଗଭର ହୁଅନ୍ତୁ ବୋଲି ତିୟାନ୍‌ମେନ୍‌ ଛକ ବିକ୍ଷୋଭରେ ସାମିଲ ହୋଇଥିବା ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି। ଏବେ ସେ ଆମେରିକାରେ ଅବସ୍ଥାନ କରୁଥିବା ବେଳେ ଏ ନେଇ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ଉଦ୍ଦେଶ୍ୟରେ ପିଟିସନ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର