ଟ୍ରେନ ଦୁର୍ଘଟଣା ପରେ ବହୁମାତ୍ରାରେ ଟିକେଟ କ୍ୟାନସେଲ କରୁଛନ୍ତି କି ଯାତ୍ରୀ? ଭକ୍ତଙ୍କ ବୟାନକୁ ଖଣ୍ଡନ କଲା ଆଇଆରସିଟିସି

ନୂଆଦିଲ୍ଲୀ: ବାଲେଶ୍ୱରର ବାହାନଗାରେ କରମଣ୍ଡଳ ଦୁର୍ଘଟଣାକୁ ନେଇ ଏବେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି | ତେବେ ଦୁର୍ଘଟଣା ପରେ ଏବେ ଏହାକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି | କିଛି ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରୁଥିବାବେଳେ କିଛି ବିରୋଧୀ ଦଳର ନେତାମାନେ ସଂଗୀନ ଅଭିଯୋଗ ଆଣୁଛନ୍ତି | ତେବେ କଂଗ୍ରେସ ଦାବି କରିଛି ଯେ ଶୁକ୍ରବାର (ଜୁନ୍ ୨) ଦିନ ଟ୍ରେନ ଦୁର୍ଘଟଣା ପରେ ବହୁ ସଂଖ୍ୟକ ଲୋକ ଭୟଭୀତ ହୋଇ ଟ୍ରେନ୍ ଟିକେଟ୍ ବାତିଲ କରିଛନ୍ତି। ଆଉ ରେଳ ଟିକେଟ୍ ବୁକିଂ ପରିଚାଳନା କରୁଥିବା ଆଇଆରସିଟିସି ଏବେ ଏହାର ଜବାବ ଦେଇଛି। ବାସ୍ତବରେ କଂଗ୍ରେସ ନେତା ଭକ୍ତ ଚରଣ ଦାସ ସୋମବାର (ଜୁନ୍-୫)ରେ ଅଭିଯୋଗ କରିଥିଲେ ଯେ ଟ୍ରେନ ଦୁର୍ଘଟଣା ପରେ ରେଳବାଇକୁ ନେଇ ଲୋକଙ୍କ ମଧ୍ୟରେ ଭୟ ରହିଛି, ଯେଉଁଥିପାଇଁ ହଜାର ହଜାର ଲୋକ ଟିକେଟ୍ ବାତିଲ କରିଛନ୍ତି।


କଂଗ୍ରେସର ଅଫିସିଆଲ୍ ହ୍ୟାଣ୍ଡେଲରୁ ତାଙ୍କ ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରାଯାଇଥିଲା | ଏହି ଭିଡିଓରେ ସେ କହିଥିଲେ ଯେ ଅତୀତରେ ଏଭଳି ଟ୍ରେନ୍ ଦୁର୍ଘଟଣା କେବେ ହୋଇ ନଥିଲା। ଏହି ଟ୍ରେନ ଦୁର୍ଘଟଣାରେ ଶହ ଶହ ଲୋକ ପ୍ରାଣ ହରାଇଥିବାବେଳେ ଏକ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ସମସ୍ତଙ୍କୁ ଆଘାତ ଦେଇଛି। ସେ ଆହୁରି କହିଛନ୍ତି, ଦୁର୍ଘଟଣା ପରେ ହଜାର ହଜାର ଲୋକ ସେମାନଙ୍କର ଟିକେଟ୍ ବାତିଲ କରିଛନ୍ତି | ସେମାନେ ଅନୁଭବ କରୁଛନ୍ତି ଯେ ଟ୍ରେନରେ ଯାତ୍ରା କରିବା ସୁରକ୍ଷିତ ନୁହେଁ। କଂଗ୍ରେସର ଏହି ଭିଡିଓ ସେୟାର କରିବା ଆଇଆରସିଟିସି ଏହାକୁ ଭୁଲ ବୋଲି କହିଛି। ଆଇଆରସିଟିସି କହିଛି, ଏହା ବାସ୍ତବରେ ଭୁଲ ତଥ୍ୟ । ଟିକେଟ କ୍ୟାନସେଲ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା | ଆଇଆରସିଟିସି କହିଛି ଯେ, ଜୁନ୍ ୧, ୨୦୨୩ରେ (ଦୁର୍ଘଟଣାର ପୂର୍ବଦିନ) ୭.୭ ଲକ୍ଷ ଟ୍ରେନ ଟିକେଟ କ୍ୟାନସେଲ ହୋଇଥିବାବେଳେ ଜୁନ୍ ୩, ୨୦୨୩ରେ ୭.୫ ଲକ୍ଷ ଟିକେଟ ହିଁ କ୍ୟାନସେଲ ହୋଇଥିଲା | ଅର୍ଥାତ ଟ୍ରେନ ଦୁର୍ଘଟଣା ପରେ ଟିକେଟ କ୍ୟାନସେଲ ଉପରେ କୌଣସି ପ୍ରଭାବ ପଡ଼ିନାହିଁ |

ସମ୍ବନ୍ଧିତ ଖବର