ଆଇଓୱା: ଜଣେ କ୍ଲର୍କ ଟିକେଟ୍‌ ଛାପାରେ ଭୁଲ୍‌ କରି ଦେବାରୁ ଆମେରିକୀୟ ସହର ଆଇଓୱାର ଜଣେ ବ୍ୟକ୍ତି ୧ ନିୟୁତ ଡଲାର୍‌ ଲଟେରି ପୁରସ୍କାର ଜିଣିଛନ୍ତି।

Advertisment

‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, ଏପ୍ରିଲ୍‌ ୧୫ ତାରିଖରେ ପଶ୍ଚିମ ବର୍ଲିଙ୍ଗ୍‌ଟନ୍‌ର ୪୦ ବର୍ଷିୟ ପାଚକ (ସେଫ୍‌) ଜୋସ୍‌ ବଷ୍ଟର୍‌ ଗୋଟାଏ ‘କନ୍‌ଭେନିଏନ୍‌ସ୍‌ ଷ୍ଟୋର୍‌’ର (ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ) କିରାଣିଙ୍କୁ ‘ମେଗା ମିଲିୟନ୍‌ସ୍‌’ ଲଟେରିର ୫ଟି ‘ଇଜି-ପିକ୍‌’ ପ୍ଲେ ଟିକେଟ୍‌ ପାଇଁ କହିଥିଲେ। କିନ୍ତୁ, କିରାଣିଜଣକ ଭୁଲ୍‌କ୍ରମେ ତାଙ୍କୁ ଗୋଟିଏ ‘ପ୍ଲେ ଟିକେଟ୍‌’ ଦେ‌ଲେ। ପରେ ଉକ୍ତ କ୍ଲର୍କ ବଷ୍ଟର୍‌ଙ୍କୁ କହିଲେ ଯେ, ବାକି ୪ଟି ପ୍ଲେ ଆଉ ଗୋଟାଏ ଟିକେଟ୍‌ରେ ଛାପି ଦେଲେ ସେ ଖରାପ ମନେକରିବେ ନାହିଁ ତ? ବଷ୍ଟର୍‌ କିଛି ମନେ ନ କରି ଟିକେଟ୍‌ ନେଇ ଆସିଲେ।

ତହିଁ ଆର ଦିନ ବଡ଼ି ସକାଳୁ ଉଠି ବଷ୍ଟର୍‌ ଲଟେରି ଆପ୍‌ ଖୋଲି ତାଙ୍କ ଟିକେଟ୍‌ ସବୁ ସ୍କାନ୍‌ କରି ଦେଖିଲେ, ଲଟେରି ଜିଣିଛନ୍ତି। କିନ୍ତୁ, ଯଦି କିରାଣିଜଣକ ଭୁଲ୍‌ ନ କରି ଗୋଟିଏ ଟିକେଟ୍‌ରେ ୫ଟିଯାକ ପ୍ଲେ ନମ୍ବର ଛାପି ଦେଇ ଥାଆନ୍ତେ ସେ କଦାପି ଲଟେରି ଜିଣି ପାରି ନ ଥାନ୍ତେ ବୋଲି ବୋଲି ବଷ୍ଟର୍‌ କହିଛନ୍ତି। ସେ ଲଟେରି ଜିଣିଛନ୍ତି ବୋଲି ପ୍ରଥମେ ବିଶ୍ବାସ କରିପାରିଲେ ନାହିଁ।

publive-image Image Courtesy of NDTV

ସେ କହନ୍ତି, ସାଧାରଣତଃ ଲଟେରି କ୍ଷେତ୍ରରେ ମୋର ଭାଗ୍ୟ ଭଲ ନ ଥାଏ। ତେଣୁ, ଟିକେଟ୍‌ ଛାପାରେ ଭୁଲ୍‌ ହେବାରୁ ଲଟେରି ଜିଣି ପାରିବି ନାହିଁ ବୋଲି ଧରି ନେଇଥିଲି।

ରିପୋର୍ଟ ଅନୁସାରେ, ୨୦ ନିୟୁତ ଲଟେରିରୁ ବଷ୍ଟର୍‌୧ ନିୟୁତ ଜିଣିଛନ୍ତି। ତାଙ୍କ ଟିକେଟ୍‌ର ପ୍ରଥମ ୫ଟି ନମ୍ବର ମେଳ ଖାଉଥିଲେ ସୁଦ୍ଧା ସେ ‘ମେଗା ବଲ୍‌’ ନମ୍ବର (ସମ୍ପୂର୍ଣ୍ଣ ଲଟେରି ଅର୍ଥ) ପାଇବାରେ ଅସମର୍ଥ ହୋଇଛନ୍ତି।

ଗଣମାଧ୍ୟମକୁ ବଷ୍ଟର୍‌ କହିଛନ୍ତି, ଲଟେରିରୁ ପ୍ରାପ୍ତ ଅର୍ଥରେ ସେ କାର୍‌ କିଣା ବାବଦ ବାକି, ମା’ଙ୍କ ବନ୍ଧକ ବାକି ପରିଶୋଧ କରିବି। ବାକି ଅର୍ଥ ସେ ଚାକିରିରୁ ଅବସର ନେବା ପରେ ଚଳିବା ନିମନ୍ତେ ସଞ୍ଚୟ କରିବି। ଲଟେରି ଜିଣିବାରୁ ମୋର ଆଉ ଆର୍ଥିକ ଚିନ୍ତା ନାହିଁ। ମୋ ଜୀବନରୁ ବହୁ ବୋଝ ହାଲୁକା ‌ହୋଇଗଲା।