ନ୍ୟୁୟର୍କର ବ୍ରଙ୍କ୍ସ୍ ଚିଡ଼ିଆଖାନାର ବାଘ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ

ନ୍ୟୁୟର୍କ: ବ୍ରଙ୍କ୍ସ୍ ଚିଡ଼ିଆଖାନାର ଗୋଟାଏ ବାଘ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା କଥା ରବିବାର ଦିନ ଫେଡେରାଲ୍ ଅଧିକାରୀ ଏବଂ ଚିଡ଼ିଆଖାନା ତରଫରୁ କୁହାଯାଇଛି । କୌଣସି ଜନ୍ତୁ ଦେହରେ କରୋନାଭାଇରସ୍ ସଂକ୍ରମଣ ହେବାରେ ଏହା ହେଉଛି ଆମେରିକାର ପ୍ରଥମ ଘଟଣା । ବାଘକୁ କରୋନାଭାଇରସ୍ ସଂକ୍ରମିତ ହେବାରେ ମଧ୍ୟ ଏହା ବିଶ୍ୱର ପ୍ରଥମ ଘଟଣା ବୋଲି କୁହାଯାଉଛି ।

Representative Image Courtesy of Culture Trip

ଏହି ଚାରି ବର୍ଷୀୟ ମାଲେସୀୟ ବାଘର ନାଁ ନାଦିଆ । ଏ ପର୍ଯ୍ୟନ୍ତ ଲକ୍ଷଣ ଦେଖା ଦେଇ ନ ଥିବା କୌଣସି ସଂକ୍ରମିତ ଚିଡ଼ିଆଖାନା କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ନାଦିଆ ସହ ସେଠାରେ ଥିବା ଅନ୍ୟ ଛଅଟି ବାଘ ଓ ସିଂହ ଅସୁସ୍ଥ ହୋଇପଡ଼ିଥିବା କଥା ଚିଡ଼ିଆଖାନା ତରଫରୁ କୁହାଯାଇଛି । ସେମାନେ ହେଉଛନ୍ତି ନାଦିଆର ଭଉଣୀ ଅଜୁଲ୍, ଦୁଇଟି ସାଇବେରୀୟ ବାଘ ଓ ତିନିଟି ଆଫ୍ରିକୀୟ ସିଂହ । ଏମାନଙ୍କର ଶୁଖିଲା କାଶ ଓ ନିଶ୍ୱାସପ୍ରଶ୍ୱାସ ନେବା ବେଳେ ସିଟି ମାରିବା ଭଳି ଶଦ୍ଦ ହେଉଥିଲା । ଖାଦ୍ୟ ପ୍ରତି ଆଗ୍ରହ ମଧ୍ୟ କମିଯାଇଥିଲା ।

Siberian Tiger Image Source: Revitalization org

ଯୁକ୍ତରାଷ୍ଟ୍ର ଆମେରିକାର କୃଷି ବିଭାଗ ତା’ର ପ୍ରାଣୀ ଚିକିତ୍ସା ଲାବ୍ରୋଟରିରେ ନାଦିଆର ନମୁନା ପରୀକ୍ଷା କରିଥିଲା । ଲ୍ୟାବ୍ କହିଛି କି, ଏପର୍ଯ୍ୟନ୍ତ ଆମେରିକାରେ କୌଣସି ପୋଷା ବା ଗୃହପାଳିତ ଜୀବ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ି ନ ଥିଲା ।

ମାର୍ଚ ୨୭ ତାରିଖରେ ନାଦିଆ ଦେହରେ ସଂକ୍ରମଣ ଲକ୍ଷଣ ପ୍ରକାଶ ପାଇଥିଲା । ଏବେ ସମସ୍ତ ବାଘ ଓ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି । ଖୁବ୍ ଶୀଘ୍ର ସେମାନେ ସୁସ୍ଥ ହୋଇଯିବେ ।

କିନ୍ତୁ, ଜନ୍ତୁମାନଙ୍କ ଦ୍ୱାରା କରୋନାଭାଇରସ୍ ସଂକ୍ରମଣ ହେଉଥିବା ଏଯାବତ୍ କୌଣସି ପ୍ରମାଣ ନାହିଁ ବୋଲି ପ୍ରାଣୀ ଚିକିତ୍ସକ ଡାକ୍ତର ଜେନ୍ ରୁନି କହିଛନ୍ତି ।
ନ୍ୟୁୟର୍କରେ କରୋନାଭାଇରସ୍ ସଂକ୍ରମଣ ବ୍ୟାପିବା କାରଣରୁ ମାର୍ଚ ୧୬ ତାରିଖରୁ ବ୍ରଙ୍କ୍ସ୍ ଚିଡ଼ିଆଖାନା ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି ।

ସମ୍ବନ୍ଧିତ ଖବର