ଆମେରିକାରେ ବାଘ ସଂକ୍ରମଣ : ନଜରରେ ନନ୍ଦନକାନନ

Asia Times

କରୋନା ଡର ଘାରିଲା, ଜୀବଜନ୍ତୁଙ୍କୁ ଜଗିବ ସିସିଟିଭି
ସମ୍ବଲପୁର ଚିଡ଼ିଆଖାନା ଉପରେ ବି ରଖାଯିବ ସତର୍କ ଦୃଷ୍ଟି
ରାଜ୍ୟର ସମସ୍ତ ଚିଡ଼ିଆଖାନାକୁ ପିସିସିଏଫ୍‌ଙ୍କ ଚିଠି

ଭୁବନେଶ୍ୱର/ବାରଙ୍ଗ : ଆମେରିକା ନ୍ୟୁୟର୍କର ଏକ ଚିଡ଼ିଆଖାନାରେ ଗୋଟିଏ ବାଘ କରୋନାରେ ସଂକ୍ରମିତ ହୋଇଛି। ଏଭଳି ଖବର ଜଣାପଡ଼ିବା ପରେ ସାରା ଦେଶରେ ଥିବା ଚିଡ଼ିଆଖାନା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ହାଇଆର୍ଲଟ ଜାରି କରାଯାଇଛି। ଚିଡ଼ିଆଖାନାରେ ଥିବା ବାଘଙ୍କ ସମେତ ଅନ୍ୟ ଜୀବଜନ୍ତୁଙ୍କ ଉପରେ ଦୃଷ୍ଟି ରଖିବାକୁ ସମସ୍ତ ରାଜ୍ୟର ବନ ବିଭାଗକୁ କୁହାଯାଇଛି। ବାଘମାନଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଗାଇଡ୍‌ଲାଇନକୁ ଅନୁସରଣ କରିବେ, ଜୀବଜନ୍ତୁଙ୍କ ଶବ ବ୍ୟବ‌ଚ୍ଛେଦ ସମୟରେ କରୋନା ଭୂତାଣୁ ପରୀକ୍ଷା କରିବା, ଯଦି କୌଣସି ନମୁନା ସେଭଳି ଆସେ, ଏନେଇ ଆଇସିଏଆର୍‌ର ଅନୁମତି ଲାଗି ପଠାଇବାକୁ କୁହାଯାଇଛି।

ସେହିପରି ଜାତୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷର ସଦସ୍ୟ ସଚିବ ଏସ୍‌.ପି ଯାଦବ ସମସ୍ତ ରାଜ୍ୟର ପିସିସିଏଫ୍‌ଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ ନ୍ୟୁୟର୍କସ୍ଥିତ ବ୍ରୋନକ୍ସ ଚିଡ଼ିଆଖାନାରେ ଥିବା ଗୋଟିଏ ବାଘ କରୋନାରେ ସଂକ୍ରମିତ ହୋଇଛି। ଆମେରିକାସ୍ଥିତ ଜାତୀୟ ଭେଟେରିନାରି ସେବା ପରୀକ୍ଷାଗାର ସଂକ୍ରମଣ ବାବଦରେ ସୂଚନା ଦେଇଛି। ତେଣୁ ସମସ୍ତ ଚିଡ଼ିଆଖାନାକୁ ନଜରରେ ରଖ। ସମସ୍ତ ପଶୁଙ୍କୁ ଚବିଶ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଉ। ଯଦି କୌଣସି ପଶୁ ଦେହରେ କରୋନା ଭୂତାଣୁ ଥିବାର ପ୍ରାରମ୍ଭିକ ସୂଚନା ମିଳେ, ତା’ହେଲେ ତୁରନ୍ତ ଅବଗତ କରାଅ। ସ୍ତନ୍ୟପାୟୀ ପ୍ରାଣୀ ଯଥା ବିରାଡ଼ି, ମୂଷା, ଠେକୁଆଙ୍କ ଉପରେ କଡ଼ାକଡ଼ି ନଜର ରଖିବାକୁ ସେ କହିଛନ୍ତି। ଯଦି କୌଣସି ଜୀବଜନ୍ତୁଙ୍କ ଉପରେ ସନ୍ଦେହ ହେଉଛି, ତେବେ ପ୍ରତି ୧୫ଦିନରେ ସେମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଅ। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଏନ୍‌ଆଇଏଚଏସଏଡି, ହରିୟାଣାର ହିସାରସ୍ଥିତ ଏନ୍‌ଆରସିଇ ଓ ଉତ୍ତରପ୍ରଦେଶର ବରେଲିସ୍ଥିତ ଆଇଭିଆରଆଇଠାରେ ଜୀବଜନ୍ତୁଙ୍କ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି। ଚିଡ଼ିଆଖାନା କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ଆଜି ଏ ସମ୍ପର୍କିତ ଚିଠି ମିଳିବା ପରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ(ପିସିସିଏଫ୍‌)-ବନ୍ୟପ୍ରାଣୀ ହରିଶଙ୍କର ଉପାଧ୍ୟାୟ ରାଜ୍ୟରେ ଥିବା ସବୁ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ଚିଡ଼ିଆଖାନାଗୁଡ଼ିକରେ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଉପାଧ୍ୟାୟ କହିଛନ୍ତି ଯେ ଓଡ଼ିଶାରେ ଥିବା ଚିଡ଼ିଆଖାନାଗୁଡ଼ିକ ଉପରେ ଆମେ ଅଧିକ ଗୁରୁତ୍ଵ ଦେଇଛୁ। ଜୀବଜନ୍ତୁଙ୍କୁ ୨୪ ଘଣ୍ଟିଆ ନଜରରେ ରଖାଯାଇଛି। ନନ୍ଦନକାନନ ଓ ସମ୍ବଲପୁରଠାରେ ଥିବା ଚିଡ଼ିଆଖାନା ଉପରେ ଅଧିକ ଫୋକ୍‌ସ ଦିଆଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହରିଣ ପାର୍କଗୁଡ଼ିକକୁ ବି ସଜାଗ କରାଯାଇଛି।

ଅପରପକ୍ଷେ ଏହି ଖବର ପାଇବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ମଧ୍ୟରେ ତତ୍ପରତା ଦେଖା‌ଦେଇଛି। ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘ, ସିଂହ, ସିମ୍ପାଞ୍ଜି, କାପାଚିନୋ, ଗୁଣ୍ଡୁଚି ମାଙ୍କଡ଼, କଟାସ ପ୍ରଭୃତି ଜୀବଙ୍କ ସୁରକ୍ଷା ଲାଗି ଅଧିକ ସତର୍କତାମୂଳକ ପଦକ୍ଷପ ନିଆଯାଉଛି ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି।

ଶ୍ରୀ ଦାସ କହିଛନ୍ତି, ଆମେରିକାରେ ସଂକ୍ରମିତ ହୋଇଥିବା ବାଘ ଦେହକୁ ଭୂତାଣୁ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କଠାରୁ ଆସିଛି। ତେଣୁ ସେଥିପ୍ରତି ଆମେ ସଜାଗ ରହିଛୁ। ଲକ୍‌ଡାଉନ୍ ବେଳେ ଜୀବଜନ୍ତୁଙ୍କ ସେବାରେ ନିୟୋଜିତ ଜନ୍ତୁରକ୍ଷକ, ଚିକିତ୍ସକ ଓ ଚିକିତ୍ସା କର୍ମଚାରୀମାନଙ୍କୁ ମୁହଁରେ ମାସ୍କ, ହାତରେ ଗ୍ଲୋଭ୍‌ସ ପିନ୍ଧି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ବାରମ୍ବାର ସାନିଟାଇଜର୍‌ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଥିଲା। ତଦନୁଯାୟୀ କର୍ମଚାରୀମାନେ ସେବା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ଆଗାମୀ ଦିନରେ କର୍ମଚାରୀମାନଙ୍କୁ ଅଧିକ ମାସ୍କ, ଗ୍ଲୋଭ୍‌ସ ଓ ସାନିଟାଇଜର୍‌ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ହେବା ପରଠାରୁ ନନ୍ଦନକାନନରେ କାର୍ଯ୍ୟରତ ସ୍ଥାୟୀ/ଅସ୍ଥାୟୀ ମୋଟ ୩ ଶହରୁ ଊର୍ଧ୍ବ କର୍ମଚାରୀଙ୍କ ସଂଖ୍ୟାକୁ ୭୫ରେ ସୀମିତ ରଖାଯାଇଥିଲା।

ସମ୍ବନ୍ଧିତ ଖବର