ବରେଲି: ପିଲିଭିତ ଜିଲ୍ଲାରେ ତିନିଜଣ ଯୁବକଙ୍କ ଉପରେ ବାଘ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ଯୁବକଙ୍କ ବାଘ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗଛ ଉପରେ ଚଢ଼ି ଯିବାରୁ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି।
ପ୍ରତ୍ୟେକ୍ଷଦର୍ଶୀ ଯୁବକ ବିକାଶ ସେଦିନର ଲୋମଟାଙ୍କୁରା ଘଟଣାକୁ ମନେ ପକାଇ କହନ୍ତି, ସାଙ୍ଗ କହ୍ନେଇଲାଲଙ୍କ ଶାହଜହାପୁର ଜିଲ୍ଲା ପୁବାୟା ଥାନାସ୍ଥିତ ଜଲାଲପୁର ଗ୍ରାମରେ ଶ୍ବଶୁର ଘର। ତେଣୁ ତାଙ୍କ ଶ୍ବଶୁର ଘରକୁ ସାଙ୍ଗ ସୋନୁ ଓ କହ୍ନେଇଲାଲଙ୍କ ସହିତ ମିଶି ଏକ ବାଇକରେ ତିନିଜଣ ଯାଇଥିଲୁ। ରବିବାର ସନ୍ଧ୍ୟା ୭.୩୦ରେ ବାଇକରେ ବସି ତିନିଜଣ ସାଙ୍ଗ ଘରକୁ ଫେରୁଥିଲୁ।
ଏତିକି ବେଳେ ହଠାତ ଆମ ବାଇକ ସାମ୍ନାକୁ ବାଘ-ବାଘୁଣୀ ଚାଲି ଆସିଥିଲେ। ବାଘକୁ ଦେଖି ଆମେ ତିନିଜଣ ଭୟରେ ବାଇକରୁ ରାସ୍ତାରେ ପଡ଼ି ଯାଇଥିଲୁ। ଆମକୁ ଦେଖିବା କ୍ଷଣି ବାଘ-ବାଘୁଣୀ ଦୁହେଁ ଆକ୍ରମଣ ପାଇଁ ମାଡ଼ି ଆସିଥିଲେ। କହ୍ନେଇଲାଲ ଓ ସୋନୁକୁ ବାଘ ମାଡ଼ି ବସିଥିବା ବେଳେ ମୁଁ ଦୁହିଁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲି କିନ୍ତୁ ଆଉ ସାହାସ ଜୁଟାଇ ନପାରିବାରୁ କୌଶଳେ କ୍ରମେ ଗଛ ଉପରେଚଢ଼ି ଯାଇଥିଲି। ରାତିସାର ଗଛ ଉପରେ ରହିବା ପରେ ପରଦିନ ସକାଳେ ଜୀବନ ନେଇ ଦୌଡ଼ି ଦୌଡ଼ି ପୁଲିସ ଷ୍ଟେସନରେ ପହଞ୍ଚିଥିଲି। ଆଉ ଘଟଣା ସମ୍ପର୍କରେ ବଖାଣି କହିଥିଲି।
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଓ ବ୍ୟାଘ୍ର ସଂରକ୍ଷିତ ଅଧିକାରୀ ଘଟଣାର ଯାଞ୍ଚ କରୁଛନ୍ତି।