ଉଦୟପୁର: ରାଜସ୍ଥାନର ଉଦୟପୁର ସହରର ସେକ୍ଟର-୪ ଅଞ୍ଚଳରେ ଥିବା ପରମାର୍ଥ ବାଳିକା ହଷ୍ଟେଲରେ ଏକ କଲରାପତରିଆ ବାଘ ପଶି ଆତଙ୍କ ସୃଷ୍ଟି କରିଛି। ବାଘ ପାଖାପାଖି ୧୨ ଘଣ୍ଟା ହଷ୍ଟେଲରେ ରହିବା ଫଳରେ ଆତଙ୍କ ଖେଳିଯାଇଥିଲା ।

Advertisment

ସୂଚନା ଅନୁସାରେ ଶୁକ୍ରବାର ହଷ୍ଟେଲରେ ସବୁଦିନ ଭଳି ଛାତ୍ରୀଙ୍କ ଗତିବିଧି ଚାଲିଥିବା ବେଳେ ସେଠାରେ କର୍ମଚାରୀଙ୍କ ଜଣେ ସଦସ୍ୟ ବାଘ ଦେଖିଥିଲେ। ବାଘ ଯୁବକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନିଜ ଜୀବନ ବଞ୍ଚାଇ ଖସିଯିବାରେ ସଫଳ ହୋଇଥିଲେ। ଏହାପରେ ହଷ୍ଟେଲରେ ରହୁଥିବା ଝିଅମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସମସ୍ତେ ନିଜ ନିଜ କୋଠରୀରେ କବାଟ ବନ୍ଦ କରି ରହିବାକୁ ବାଧ୍ୟ ହୋଇଥିଲେ ।

ଜିଲ୍ଲା ବନ ଅଧିକାରୀ ଅଜୟ ଚିତ୍ତୋରା କହିଛନ୍ତି ଯେ, ହଷ୍ଟେଲ ଭିତରକୁ ଚିତାବାଘ ପଶିବା ନେଇ ସୂଚନା ବନ ବିଭାଗକୁ ଦିଆଯାଇଥିଲା। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ପାଖାପାଖି ୩ ମହଲା ବିଶିଷ୍ଟ ହଷ୍ଟେଲରେ ବାଘ ଦ୍ୱିତୀୟ ମହଲାରେ ଲୁଚି ରହିଥିଲା। ଏଭଳି ସ୍ଥିତିରେ ତାକୁ ଖୋଜିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଟିମ୍ କଠିନ ପରିଶ୍ରମ କରି ବାଘକୁ ଠାବ କରିବା ପରେ ଏହାକୁ ଏକ ସ୍ଥାନରେ ଅବରୋଧ କରାଯାଇଥିଲା । ଏହା ପରେ କାନ୍ଥରେ ଏକ ଗାତ କରି ଟ୍ରାଙ୍କୁଲାଇଜ୍ କରି ରାସ୍ତା ତିଆରି କରିଥିଲା। ବର୍ତ୍ତମାନ ବାଘକୁ ସୁରକ୍ଷିତ ଭାବେ ଡାକ୍ତରଖାନା ନିଆଯାଇଛି। ତାର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ବଣରେ ଛାଡ଼ି ଦିଆଯିବ ।