ଜାଳ ପାଇଁ ବଣକୁ ଯାଇଥିବା ମହିଳାଙ୍କୁ ବାଘ ଖାଇଗଲା

ଡେରାଡୁନ୍‌: ବୁଧବାର ଅପରାହ୍ଣରେ ଉତ୍ତରାଖଣ୍ଡର ଏକ ବଣରେ ଜଣେ ମହିଳାଙ୍କୁ ବାଘ ଖାଇ ଦେଇଛି। ଜାଳ ଏବଂ ଗୋଖାଦ୍ୟ ପାଇଁ ବଣକୁ ଯାଇଥିବାବେଳେ ହେମା ଦେବୀ ନାମ୍ନୀ ସେ ମହିଳା ବାଘ ହାବୁଡ଼ରେ ପଡ଼ି ଯାଇଥିଲେ।
ସେ ଅଞ୍ଚଳରେ ବାଘଟିଏ ବୁଲାବୁଲି କରୁଛି ବୋଲି ପୂର୍ବରୁ ଟଣକପୁର ବନ ବିଭାଗ ତରଫରୁ ସତର୍କ ସୂଚନା ଦିଆ ଯାଇଥିଲା। କିନ୍ତୁ, ବଣ ଆଖ ପାଖ ଗାଁ’ର ମହିଳାମାନେ ସେଥିପ୍ରତି ଧ୍ୟାନ ନ ଦେଇ ଜାଳେଣି କାଠ ଏବଂ ଗୋରୁମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ବଣ ଭିତରକୁ ଯାଉଥିଲେ।

ବଣରେ ମଣିଷଖିଆ ବାଘଟାଏ ବୁଲୁଥିବା କଥା ବୁଧବାର ସକାଳେ ବନ ବିଭାଗ କର୍ମଚାରୀ ସୂଚନା ଦେଇଥିଲେ। ମହିଳାମାନଙ୍କୁ ବଣ ଭିତରକୁ ଯିବାକୁ ମଧ୍ୟ ବାରଣ କରିଥିଲେ।

ହେମାଦେବୀ କିନ୍ତୁ, ତାଙ୍କ କଥା ମାନି ନ ଥିଲେ। ସେ କହିଥିଲେ ଯେ ଜାଳ ଓ ଗୋରୁଙ୍କ ଖାଦ୍ୟ ପାଇଁ ଆମେ ବଣ ଉପରେ ନିର୍ଭର କରୁଛୁ। ବଣକୁ ନ ଗଲେ ଚଳିବୁ କେମିତି?

ଚମ୍ପାଓ୍ଵତ ଜିଲ୍ଲାର ଟଣକପୁର ଭାରତ-ନେପାଳ ସୀମାରେ ଅବସ୍ଥିତ। ଘଞ୍ଚ ବୁମ୍‌ ଓ ଶାରଦା ସଂରକ୍ଷିତ ଜଙ୍ଗଲ ଏହାକୁ ଘେରି ରହିଛି। ଆଖପାଖ ଗାଁ’ର ମହିଳାମାନେ ଦିନକୁ ଦୁଇ ଥର ବଣ ଭିତରକୁ ଯାଉଥିବାରୁ ଜନ୍ତୁଜୁନ୍ତାଙ୍କ ହାବୁଡ଼ରେ ପଡ଼ିବା ମାମୁଲି କଥା।

ସେ ବଣରେ ଘୂରିବୁଲୁ ଥିବା ମଣିଷଖିଆ ବାଘ ହାବୁଡ଼ରେ ପଡ଼ି ଫେବ୍ରୁଆରି ମାସରୁ ଆଜି ଯାଏଁ ଚାରି ଜଣ ଲୋକଙ୍କର ଜୀବନ ଗଲାଣି ବୋଲି ଜଣେ ବନ ବିଭାଗ ଅଧିକାରୀ କହିଛନ୍ତି।

ବନ ବିଭାଗ ସେ ବାଘକୁ ମାରି ଦିଅନ୍ତୁ ନ ହେଲେ ଧରି ନେଇ ଯାଆନ୍ତୁ ବୋଲି ନୟାଗୋଠ ଗାଁ’ର ରାଧା ଦେବୀ କହନ୍ତି।
ସେ ବାଘଟିକୁ ଧରିବା ପାଇଁ ବନ ବିଭାଗ ତରଫରୁ ୧୦ଟି ଜାଗାରେ କ୍ୟାମେରା ଲଗା ଯାଇଛି।

ସମ୍ବନ୍ଧିତ ଖବର