୨୭ ବର୍ଷ ପରେ ଗୁଜରାଟରେ ଦେଖା ଦେଲା ବାଘ

ଅହମଦାବାଦ: ଦୀର୍ଘ ୨୭ ବର୍ଷ ପରେ ଗୁଜରାଟରେ ବାଘ ଦେଖିଥିବା କଥା ଜଣେ ଶିକ୍ଷକ କହିଛନ୍ତି। ଶେଷ ଥର ଲାଗି ୧୯୯୨ ମସିହାରେ ଗୁଜରାଟର ଦାଙ୍ଗ୍‌ ସୀମାନ୍ତରେ ବାଘ ଦେଖାଯାଇଥିଲା।

ମହିସାଗର ଜିଲ୍ଲାର ଲୁନାଓ୍ଵାଡ଼ା ଅନ୍ତର୍ଗତ ବୋରିୟା ଗାଁର ପାଖ ମାଳ ଭିତରକୁ ବାଘଟିଏ ରାସ୍ତା ପାରି ହୋଇ ପଶୁଥିବା କଥା ଶିକ୍ଷକ ମହେଶ ମହେରା ଦେଖିଛନ୍ତି। ସେ ନିଜ ଫୋନ୍‌ରେ ସେ ବାଘର ଫଟୋ ଉଠାଇଛନ୍ତି।

ଫେବ୍ରୁଆରି ୬ ତାରିଖ ଦିନ କାର୍‌ ଭିତରୁ ଉଠା ଯାଇଥିବା ସେ ବାଘର ଫଟୋ ସବୁ ଶନିବାର ଦିନ ରାଜ୍ୟ ବନ ବିଭାଗର ମୋବାଇଲ୍‌ ନେଟ୍‌ଓ୍ଵାର୍କରେ ଭାଇରାଲ୍‌ ହୋଇଛି। ବାଘ ଅଛି ବୋଲି ଅଧିକ ପ୍ରମାଣ ଲାଗି ବନବିଭାଗ ବୋରୟା ଗାଁ ଆଖପାଖରେ କ୍ୟାମେରା ଖଞ୍ଜିଛି।

ସେ ଅଞ୍ଚଳର ଗୁଲିୟା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ମହେରା କହନ୍ତି: ସନ୍ଧ୍ୟା ବେଳେ ସ୍କୁଲ୍‌ରୁ ଫେରିବା ବେଳେ ମୋ କାର୍‌ ଠାରୁ ମାତ୍ରା ୪୦ ଫୁଟ୍‌ ଦୂରରେ ବାଘଟିଏ ଦେଖି ଛନକା ପଶିଗଲା। ସ୍ଥାନୀୟ ଲୋକେ ସେ ଅଞ୍ଚଳରେ ବାଘ ଥିବା କଥା କହୁଥିବା ଶୁଣିଥିବାରୁ ମୁଁ ତୁରନ୍ତ ଗାଡ଼ି ଭିତରେ ଥାଇ ବି ଫଟୋ ଉଠାଇ ପକାଇଲି।

ବାଘ ଉପସ୍ଥିତି ସଂକ୍ରାନ୍ତରେ ଅଧିକ ନିଶ୍ଚିତ ହେବା ଲାଗି ବନ ବିଭାଗ ତା’ର ପାଦଚିହ୍ନ ଖୋଜୁଛନ୍ତି।

ସମ୍ବନ୍ଧିତ ଖବର