ନିଜ ଛୁଆଙ୍କ ସହ ମଲା ଭଉଣୀର ଛୁଆଙ୍କୁ ସୁରକ୍ଷା ଓ ତାଲିମ ଦେଉଛି ବାଘୁଣୀ ‘ମାଉସୀ’

ଭୋପାଳ: ମଧ୍ୟପ୍ରଦେଶର ଜାତୀୟ ଉଦ୍ୟାନରେ ଗୋଟାଏ ବାଘୁଣୀ ନିଜର ୪ଟି ଛୁଆଙ୍କ ସହିତ ମଲା ଭଉଣୀର ୩ଟି ଛୁଆଙ୍କୁ ସୁରକ୍ଷା ଦେବା ସହିତ ଶିକାର କରିବା ପାଇଁ ତାଲିମ ଦେଉଛି।

ସିଦ୍ଧି ଜିଲ୍ଲାରେ ଥିବା ‘ସଞ୍ଜୟ ଦୁବ୍ରି ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ’ରେ ‘ଟି୨୮’ ନାମରେ ଉକ୍ତ ବାଘୁଣୀ ‘ମାଉସୀ’ ‌ତା’ ଭଉଣୀର ଛୁଆମାନଙ୍କୁ ଯେମିତି ଲାଳନପାଳନ କରୁଛି ତାହା ଦେଖିବାକୁ ଲୋକଙ୍କ ମନରେ ଉତ୍ସୁକତା ବୃଦ୍ଧି ପାଉଛି।

ସଂଗୃହୀତ ସୂଚନା ଅନୁସାରେ, ମୃତ୍ୟୁ ପୂର୍ବରୁ ‘ଟି୧୮’ ନାମରେ ଭଉଣୀ ବାଘୁଣୀଟି ୪ଟି ଛୁଆ ଜନ୍ମ କରିଥିଲା। ଟ୍ରେନ୍‌ ଦୁର୍ଘଟଣାରେ ‘ଟି୧୮’ର ମୃତ୍ୟୁ ଘଟିବା ପରେ ସେଥିରୁ ଗୋଟାଏ ଛୁଆକୁ ପ୍ରାପ୍ତବୟସ୍କ ବାଘଟାଏ ମାରି ପକାଇଲା।

Image Courtesy of The Times of India

ସେ ଯାହାହେଉ, ଅଘଟଣ ପରେ ବାଘୁଣୀ ‘ମାଉସୀ’ ନିଜ ଆଡୁ ବାକି ୩ଟି ଛୁଆଙ୍କର ଦେଖାରଖା କରିବା ସହ ସେମାନଙ୍କୁ ଶିକାର ଶିଖାଇବା ପାଇଁ ଉପଯୁକ୍ତ ତାଲିମ ଦେଉଛି।

‘ସଞ୍ଜୟ ଡୁବ୍ରି ବ୍ୟାଘ୍ର ସଂରକ୍ଷଣ’ର କ୍ଷେତ୍ର ନିର୍ଦେଶକ ୱାଇ.ପି. ସିଂହ କହିଛନ୍ତି: ଚଳିତ ବର୍ଷ ମାର୍ଚ ୧୬ରେ ବାଘୁଣୀ ‘ଟି୧୮’ ରେଳ ଦୁର୍ଘଟଣାରେ ଆହତ ହୋଇ ଟ୍ରାକ୍‌ ବା ଧାରଣାରେ ପଡ଼ିଥିଲା। ସାଂଘାତିକ ଆହତ ହୋଇଥିବା ଉକ୍ତ ବାଘୁଣୀକୁ ସେଠାରୁ ଉଦ୍ଧାର କରାଯାଇ ଗୋଟାଏ ପିଞ୍ଜରାରେ ରଖାଯାଇ ଚିକିତ୍ସା କରାଯାଇଥିଲା। ତହିଁ ଆରଦିନ ତାକୁ ପିଞ୍ଜରାରୁ ମୁକ୍ତ କରାଗଲା। କିନ୍ତୁ, ସେ ଆଉ ଚାଲବୁଲ କରି ନ ପାରି କିଛି ସମୟ ପରେ ମରିଗଲା।

ସେତେବେଳେ ଆମର ଭାଳେଣି ପଡ଼ିଲା, ‘ଟି୧୮’ର ୪ଟି ୯ମାସିଆ ଛୁଆଙ୍କୁ ବଞ୍ଚାଇ ରଖିବା। ତେଣୁ, ୪ ଛୁଆଙ୍କ ସୁରକ୍ଷା ପାଇଁ ହାତୀସବାର ପାଟ୍ରୋଲିଙ୍ଗ୍‌ ଟିମ୍‌ ମୁତୟନ କରାଗଲା। ଖାଇବାକୁ ବି ଯୋଗାଇ ଦିଆଗଲା। କିନ୍ତୁ, ଦୁଃଖର ବିଷୟ ଏତେ ସବୁ କରି ବି ଗୋଟାଏ ପ୍ରାପ୍ତ ବୟସ୍କ ବାଘ ଆସି ଗୋଟାଏ ଛୁଆକୁ ମାରି ପକାଇଲା।

ସମ୍ବନ୍ଧିତ ଖବର