ନାବାଳିକା ଭଉଣୀ ଉପରେ ହୋଇଥିବା ବଳାତ୍କାରର ପ୍ରତିଶୋଧ ନେବାକୁ ତିହାର ଜେଲ ଭିତରେ ବଳାତ୍କାରୀକୁ ହତ୍ୟାକଲା ଭାଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ଜଣେ କଏଦୀ ଅନ୍ୟ ଜଣେ ଅନ୍ତେବାସୀ ବନ୍ଦୀକୁ ଆଜି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛଅ ବର୍ଷ ତଳେ ଘଟିଥିବା ଏକ ବଳାତ୍କାର ଘଟଣାର ପ୍ରତିଶୋଧ ନେବା ଲକ୍ଷ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ।

ଅଭିଯୁକ୍ତ ୨୧ ବର୍ଷୀୟ ଜାକିର ତିହାର ଜେଲର ୮/୯ ନମ୍ବର ସେଲ୍‌ ଭିତରେ ନିଜାମୁଦ୍ଦିନ ନିବାସୀ ମହମ୍ମଦ ମେହେତାବ(୨୭)ର ପେଟ ଓ ବେକରେ ଏକାଧିକ ଥର ଛୁରୀଭୁସି ତାଙ୍କୁ ହତ୍ୟା କରିଛି। ତିହାର ଜେଲ କର୍ତ୍ତୃପକ୍ଷ ମେହେତାବଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଜେଲ ଡିସପେନସରିରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଦୀନ୍‌ଦୟାଲ ଉପାଧ୍ୟାୟ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏ ଘଟଣା ସଂପର୍କରେ ସୂଚନା ଦେଇ ଡେପୁଟି କମିଶନର (ପଶ୍ଚିମ) ଦୀପକ ପୁରୋହିତ କହିଛନ୍ତି ଯେ ଅଭିଯୁକ୍ତ ଜାକିରର ନାବାଳିକା ଭଉଣୀକୁ ବଳାତ୍କାର କରିବା ଅଭିଯୋଗରେ ମହମ୍ମଦ ମେହେତାବ ଅଭିଯୁକ୍ତ ଥାଇ ୨୦୧୪ରୁ ତିହାର ଜେଲରେ ବନ୍ଦୀ ଥିଲେ। ତେବେ, ୨୦୧୮ରେ ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ହୋଇ ପଡ଼ିବା ପରେ ଜାକିର ମଧ୍ୟ ଆସି ତିହାର ଜେଲରେ ବନ୍ଦୀ ଥିଲା।

ଜେଲ ଭିତରେ ଥରେ ମେହେତାବକୁ ଦେଖିଥିବା ପରେ ଜାକିର ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ଏବଂ ନିଜ ନାବାଳିକା ଭଉଣୀର ବଳାତ୍କାରୀ ଉପରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲା। ଆଜି ସକାଳୁ ଅନ୍ୟ କଏଦୀମାନେ ସକାଳୁ ପ୍ରାର୍ଥନା କରିବା ପାଇଁ ବାହାରକୁ ଆସିଥିବା ବେଳେ ଅଭିଯୁକ୍ତ ଜାକିର ଉପର ମହଲାକୁ ଯାଇ ମେହେତାବଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ବୋଲି କହିଛନ୍ତି ଡେପୁଟି କମିଶନର।

ସମ୍ବନ୍ଧିତ ଖବର