କୋଭିଡ୍-୧୯: ମାତ୍ରାଧିକ ଗହଳି କମାଇବାକୁ ୪୦୦ରୁ ଅଧିକ କଏଦୀଙ୍କୁ ମୁକ୍ତ କଲା ତିହାର ଜେଲ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ କଥା ବିଚାରକୁ ନିଆଯାଇ ମାତ୍ରାଧିକ ଗହଳି ହ୍ରାସ କରିବାକୁ ଶନିବାର ଦିନ ଦିଲ୍ଲୀର ତିହାର ଜେଲରୁ ୪୦୦ରୁ ଊଦ୍ଧ୍ୱର୍ କଏଦୀଙ୍କୁ ମୁକ୍ତ କରାଯାଇଥିବା କଥା ଜେଲ୍ କର୍ତ୍ତୃପକ୍ଷମାନେ କହିଛନ୍ତି ।

ମୁକ୍ତ ହୋଇଥିବା ୪୧୯ଜଣ କଏଦୀଙ୍କ ମଧ୍ୟରୁ ୩୫୬ଜଣଙ୍କୁ ୪୫ଦିନିଆ ମଧ୍ୟବର୍ତ୍ତିକାଳୀନ ଜାମିନରେ ଛଡ଼ାଯାଇଥିବା ବେଳେ ଅନ୍ୟ ୬୩ଜଣଙ୍କୁ ଆଠ ସପ୍ତାହ ଜରୁରୀ ପାରୋଲରେ ଛଡ଼ାଯାଇଛି ।

ଜେଲ୍ ପରିସରରୁ ଗହଳି ଭାଙ୍ଗିବାକୁ ପ୍ରାୟ ୩୦୦୦ କଏଦୀଙ୍କୁ ମୁକ୍ତ କରାଯିବ ବୋଲି ଅଳ୍ପ କିଛି ଦିନ ପୂର୍ବରୁ ଜେଲ୍ କର୍ମଚାରୀମାନେ କହିଥିଲେ । ସେହି ଅନୁସାରେ ଗତକାଲି ପ୍ରଥମ ଛେକରେ ୪୧୯ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି ।

Image Source: The Times of India

ଜଣେ ବରିଷ୍ଠ ଜେଲ୍ ଅଧିକାରୀ କହିଛନ୍ତି ଯେ ମଧ୍ୟବର୍ତ୍ତିକାଳୀନ ଜାମିନ ହେଉଛି ୪୫ ଦିନିଆ । ଜରୁରୀ ପାରୋଲ୍ ହେଉଛି ଆଠ ସପ୍ତାହ । ଆସନ୍ତା ଅଳ୍ପ କିଛି ଦିନ ମଧ୍ୟରେ ଆହୁରି ଅନେକ କଏଦୀଙ୍କୁ ମୁକ୍ତ କରାଯିବ ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପୂର୍ବରୁ କଏଦୀମାନଙ୍କୁ କେବଳ ୪ ସପ୍ତାହ ନିମନ୍ତେ ପାରୋଲ ମିଳୁଥିଲା । କିନ୍ତୁ, କୋଭିଡ୍-୧୯ କଥା ବିଚାର କରି ଜେଲରୁ ଗହଳି ହ୍ରାସ କରିବାକୁ ଦିଲ୍ଲୀ ସରକାର ପାରୋଲ ନିମୟର ସଂଶୋଧନ କରିଛନ୍ତି । ଦିଲ୍ଲୀ ତିହାର ଜେଲରେ ୧୦ ହଜାର କଏଦୀ ରହିବା ଲାଗି ସୁବିଧା ଥିବା ବେଳେ ସେଥିରେ ୧୮ ହଜାରରୁ ଅଧିକ କଏଦୀଙ୍କୁ ରଖାଯାଇଛି ।

ସମ୍ବନ୍ଧିତ ଖବର