ଭାରତରେ ବ୍ୟାନ୍ ହେବା ପରେ ବେଜିଂ ଠାରୁ ଦୂରେଇ ଯିବାକୁ ଚାହୁଁଛି ଟିକଟକ୍

ନୂଆଦିଲ୍ଲୀ:  ଭାରତରେ ବ୍ୟାନ ହେବା ପରେ ବେଜିଂଠାରୁ ଦୂରେଇ ଯିବାକୁ ଚାହୁଁଛି ସୋସିଆଲ ମିଡିଆ ଟିକଟକ୍ । ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ କରିଦେଇଛନ୍ତି ଭାରତ ସରକାର । ହେଲେ ଭାରତରେ ଏହି ସର୍ଟ ଭିଡିଓ ଆପର ପ୍ରବଳ ଚାହିଦା ଥିବାରୁ ଏବଂ ବ୍ୟାପକ କ୍ଷତି ସହିବାକୁ ଯାଉଥିବାରୁ ଏବେ ଚୀନଠାରୁ ନିଜକୁ ଦୂରେଇ ନେବାପାଇଁ ଚାହୁଁଛି ସଂସ୍ଥା । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚୀନ କମ୍ପାନି ବାଇଟ ଡ୍ୟାନ୍ସ୍ସ ମାଲିକାନାରେ ଟିକଟକ୍ ରହିଥିଲେ ମଧ୍ୟ ଚୀନରେ ଏହାର ବ୍ୟବହାର ନାହିଁ ।

ତେଣୁ ବିଶ୍ୱବ୍ୟାପୀ ଚାହିଦାକୁ ଦେଖି ଏବେ ଚୀନଠାରୁ ନିଜକୁ ଦୂରେଇ ନେବାକୁ ଚାହୁଁଛି ଟିକଟକ୍ । ୨୦୧୭ରେ ଭରତରେ ଲଞ୍ଚ ହେବାପରେ ୧ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଥିଲା । ଏହି ମୋବାଇଲ ଆପ୍ଲିକେସନରେ ଥିବା ବିଭିନ୍ନ ଫିଚର ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ଆସିବା ସହ ଲୋକପ୍ରିୟ ହୋଇପାରିଥିଲା । ଟକଟକ୍ ଉପରେ ପ୍ରତିବନ୍ଧକ ଲାଗିଲା ବେଳେ କମ୍ପାନି ପକ୍ଷରୁ ସଫେଇ ଦିଆଯାଇଥିଲା ଯେ, ଏହା ଉପଭୋକ୍ତାଙ୍କ ତଥ୍ୟ ଚୀନକୁ ଦିଏନାହିଁ । କମ୍ପାନିର ସର୍ଭର ସିଙ୍ଗାପୁରରେ ରହିଛି । ତଥାପି ବ୍ୟାନ ଘୋଷଣା ହେବାସହ କମ୍ପାନିକୁ ସଫେଇ ରଖିବା ପାଇଁ କୁହାଯାଇଛି ।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସର ସୂଚନା ଅନୁସାରେ ଆଗାମୀ ସପ୍ତାହରେ ଭାରତ ସରକାରଙ୍କ ସହ ଆଲୋଚନା କରିବ କମ୍ପାନି । ହେଲେ ଏବେ ବ୍ୟାନ ହଟିବାର ସମ୍ଭାବନା କମ୍ ରହିଛି। ଟିକଟକର ଚାହିଦା ଭାରତ ପରେ ଆମେରିକାରେ ସର୍ବାଧିକ ରହିଛି, ଯେଉଁମାନେ ଚୀନର ଘୋର ବିରୋଧୀ ।

ସମ୍ବନ୍ଧିତ ଖବର