ଲଣ୍ଡନ : ଆମେରିକୀୟ ଇଣ୍ଟରନେଟ୍ କମ୍ପାନି ଗୁଗୁଲକୁ କାଟି ବିଶ୍ବରେ ନଂ୧ ସ୍ଥାନରେ ପହଞ୍ଚିଛି ଚୀନର କ୍ଷୁଦ୍ର ଭିଡିଓ ଆପ୍ ଟିକଟକ୍ । ୨୦୨୧ରେ ବିଶ୍ବର ସର୍ବାଧିକ ଲୋକ ଟିକଟକକୁ ଦେଖିଛନ୍ତି, ଫଳରେ ଏହା ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟରେ ପରିଣତ ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।
ଆଇଟି ସିକ୍ୟୁରିଟି କମ୍ପାନି କ୍ଲାଉଟଫ୍ଲେରର ରିପୋର୍ଟ ଅନୁସାରେ ୨୦୨୧ର ଫେବ୍ରୁଆରି,ମାର୍ଚ୍ଚ ଓ ଜୁନ ମାସରେ ଗୁଗୁଲ ତୁଳନାରେ ଅଧିକ ଲୋକ ଟିକଟକ ସାଇଟ୍ ଭିଜିଟ କରିଥିଲେ । ସେହିପରି ଗତ ଅଗଷ୍ଟଠାରୁ କ୍ରମାଗତ ଭାବେ ଟିକଟକ୍ ନଂ୧ ସ୍ଥାନରେ ରହିଛି ।
୨୦୨୦ ପର୍ୟ୍ୟନ୍ତ ଗୁଗୁଲ ବିଶ୍ବର ସବୁଠାରୁ ଲୋକପ୍ରିୟ ଇଣ୍ଟରନେଟ ସାଇଟ ଥିଲା । ତେବେ ପ୍ରଥମ ୧୦ଟି ସ୍ଥାନରେ ଥିଲେ ଟିକଟକ, ଆମାଜନ, ଆପଲ,ଫେସବୁକ, ମାଇକ୍ରୋସଫ୍ଟ, ନେଟଫ୍ଲିକ୍ସ ପରି ସାଇଟ୍ ।
ଉକ୍ତ ରିପୋର୍ଟରେ କୁହାଯାଇଛି ଯେ ଟିକଟକର ଲୋକପ୍ରିୟତା ବଢିବାର ଏକ ପ୍ରମୁଖ କାରଣ ହେଉଛି କୋଭିଡ୍ ମହାମାରୀ । ଗତ ବର୍ଷ କରୋନା ଆସିବା ପରେ ବିଭିନ୍ନ ଦେଶରେ ଲକଡାଉନ ଲଗାଯାଇଥିଲା । ଲୋକମାନେ ଘରେ ରହିବା ପରେ ମନୋରଂଜର ଏକ ପ୍ରମୁଖ ସାଧନ ପାଲଟିଥିଲା ଟିକଟକର ମଜାଦାର ଭିଡିଓ ।
ତେବେ ଗତବର୍ଷଠାରୁ ଭାରତରେ ଟିକଟକକୁ ନିଷିଦ୍ଧ କରାଯାଇଛି । ଗଲଓ୍ବାନଠାରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ପରେ ଭାରତ ସରକାର ଏହି ପଦକ୍ଷେପ ନେଇଥିଲେ ।