ହଂକଂରୁ ବିଦାୟ ନେବ ଲୋକପ୍ରିୟ ଭିଡିଓ ଆପ ଟିକଟକ

ହଂକଂ : ଚାଇନିଜ ଭିଡିଓ ଆପ ଟିକଟକକୁ ଭାରତ ସରକାର ନିଷିଦ୍ଧ କରିଥିବାବେଳେ ଆମେରିକା ନିଷିଦ୍ଧ କରିବାକୁ ବିଚାର କରୁଛି । ଏହା ଦ୍ବାରା ଟିକଟକର ରାଜସ୍ବ ଗୁରୁତରଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠାରୁ ଟିକଟକ ନିଜେ ବାହାରି ଆସିବାକୁ ନିଷ୍ପତ୍ତି ନେଇଛି । ଏହି ଅଂଚଳ ହେଉଛି ହଂକଂ ।

ହଂକଂରେ ଚୀନର ବିବାଦୀୟ ଜାତୀୟ ସୁରକ୍ଷା ଆଇନ ଲାଗୁ ହେବା ପରେ ଏଠାରେ ସୋସିଆଲ ମିଡିଆ ଚଳାଇବା କଷ୍ଟକର ହୋଇପଡ଼ିବ । ଗ୍ରାହକଙ୍କ ତଥ୍ୟର ସୁରକ୍ଷା କରିବା ସମ୍ଭବ ହେବ ନାହିଁ । ମୂଳ ଭୂଖଣ୍ଡ ଚୀନ ପରି ଏଠାରେ ମଧ୍ୟ ସୋସିଆଲ ମିଡିଆ କମ୍ପାନିମାନେ ନିଜର ତଥ୍ୟ  ଚୀନ ସରକାରଙ୍କୁ ପ୍ରଦାନ କରିବା ବାଧ୍ୟତାମୂଳକ ହେବ ।

ଭାରତରେ ଏହି ଆପ ନିଷିଦ୍ଧ ହେବା ପରେ ଟିକଟକ କହିଥିଲା ଯେ ଏହା ଚୀନ ସରକାରଙ୍କୁ କୌଣସି  ତଥ୍ୟ ଦିଏନାହିଁ କିମ୍ବା ଚୀନରେ ନିଜର ଡାଟା ଗଚ୍ଛିତ ରଖେନାହିଁ ।

କେବଳ ଟିକଟକ ନୁହେଁ, ଆଉକେତକ ପ୍ରମୁଖ ସୋସିଆଲ ମିଡିଆ କମ୍ପାନି ଫେସବୁକ, ଟ୍ବିଟର, ହ୍ବାଟ୍ସଆପ ଆଦି ହଂକଂର ନୂଆ ଆଇନ ଅନୁସାରେ ନିଜକୁ ବଦଳାଇବାକୁ ଘୋଷଣା କରିଛନ୍ତି । ଜରୁରୀ ହେଲେ ହଂକଂ ଛାଡ଼ିବାକୁ ମଧ୍ୟ ଏସବୁ କମ୍ପାନି ବିଚାର କରୁଛନ୍ତି ।

ବିଶ୍ବସମୁଦାୟର ବିରୋଧ ସତ୍ତ୍ବେ ଚୀନ ସରକାର ହଂକଂରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରିଛନ୍ତି । ଏହା ଫଳରେ ହଂକଂ ନିଜର ସ୍ବାୟତ୍ତତା ହରାଇବ ।  ନାଗରିକମାନେ ମଧ୍ୟ ନିଜର ମତ ପ୍ରକାଶକରିବାର ସ୍ବାଧୀନତା ହରାଇବାର ଆଶଙ୍କା ଦେଖାଦେଇଛି ।

ସମ୍ବନ୍ଧିତ ଖବର