ଶେଷରେ ମୁହଁ ଖୋଲିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା; କହିଲେ ଗଲା ୬ ମାସ ଧରି ନିରବ ରହିଲି, ଏବେ ଆଉ ନୁହେଁ!

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ- ଜେଡି(ଏସ୍‌) ମିଳିତ ସରକାରକୁ ୬ ମାସ ପୂରଣ ହୋଇଥିବା ବେଳେ ଆଜି ମୁହଁ ଖୋଲିଛନ୍ତି ଜେଡିଏସ୍‌ (ଜନତା ଦଳ ସେକୁଲାର)ର ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା।


କର୍ଣ୍ଣାଟକର ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଜେଡିଏସ୍‌ ନେତା ଏଚ୍‌ ଡି କୁମାରସ୍ୱାମୀଙ୍କୁ ସହଯୋଗୀ କଂଗ୍ରେସ ଦଳ ସବୁବେଳେ ଅସୁବିଧାରେ ପକାଇବା ସହ ଅପଦସ୍ଥ କରୁଥିବା ଘଟଣାରେ ନିଜର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା। ପ୍ରତ୍ୟକ୍ଷ ଭାବେ ଆକ୍ରମଣ କରି ନଥିଲେ ମଧ୍ୟ ପରୋକ୍ଷରେ କଂଗ୍ରେସ ଉପରେ ଆକ୍ରମଣ କରିବା ସହ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ପ୍ରଶ୍ନ କରିଛନ୍ତି, କ’ଣ କୌଣସି ମିଳିତ ସରକାର କେବେ ଏପରି ଢ଼ଙ୍ଗରେ ଚାଲିପାରେ, କର୍ଣ୍ଣାଟକରେ ଯେପରି ଚାଲିଛି? ଯେଉଁଠାରେ ପ୍ରତିଦିନ ମିଳିତ ସରକାରରେ ସହଯୋଗୀ ଥିବା ଦଳର ନେତା ଓ ସଦସ୍ୟମାନଙ୍କୁ ଡକାଇ ସରକାର ବିରୋଧରେ ଅସାମ୍ବିଧାନିକ ବୟାନବାଜିରୁ ନିବୃତ ରହିବା ପାଇଁ ଅନୁରୋଧ କରା ଯାଉଥିବ? ଏହା କ’ଣ ଏକ ମିଳିତ ସରକାରରେ ସହଯୋଗୀ ଥିବା ଦଳର ଧର୍ମ?


ଏତିକିରେ ଅଟକି ଯାଇ ନାହାନ୍ତି ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା, କହିଛନ୍ତି ବିଗତ ୬ ମାସ ହେଲାଣି, ଯେବେଠାରୁ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେଲେଣି ସେବେଠାରୁ ମୁଁ ଅସହ୍ୟ ଯନ୍ତ୍ରଣା ମଧ୍ୟରେ ମୋ ଦିନ କାଟୁଛି। କାରଣ, ଏଇ ୬ ମାସର ସମୟ କାଳ ମଧ୍ୟରେ ସବୁ ପ୍ରକାରର ଘଟଣା ଘଟି ଗଲାଣି। ଏସବୁ ସତ୍ତ୍ୱେ ମୁଁ ଆଜି ପର୍ଯ୍ୟନ୍ତ ନିରବତା ଅବଲମ୍ବନ କରି ଆସିଥିଲି। କିନ୍ତୁ, ଆଉ ନିରବ ରହିବା ମୋ ପକ୍ଷରେ ସମ୍ଭବ ନୁହେଁ ବୋଲି କହିବା ସହ ପରୋକ୍ଷରେ କଂଗ୍ରେସକୁ ଏସଂପର୍କରେ ସଚେତନ ହେବାକୁ ଚେତାଇ ଦେଇଛନ୍ତି। ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ାଙ୍କ ଏପ୍ରକାର ବୟାନ ଦେଶର ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର