ଦେଶରେ ଆଉ ଏକ ଭାରତ ଛାଡ଼ ଆନ୍ଦୋଳନର ସମୟ ଆସିଛି : ରାହୁଲ

ନୂଆଦିଲ୍ଲୀ : ଦେଶରେ ଆଉ ଏକ ଭାରତ ଛାଡ଼ ଆନ୍ଦୋଳନ କରିବାର ସମୟ ଆସିଲାଣି । ଏହି ଏକଛତ୍ରବାଦ ସରକାର ବିରୋଧରେ ଓ ଦେଶକୁ ବଞ୍ଚାଇବାକୁ ଆଉ ଏକ ‘କର ବା ମର’ ଆନ୍ଦୋଳନ କରିବାକୁ ହେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ।

ସୋମବାର ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତି ଉପଲକ୍ଷେ ଏକ ଫେସବୁକ ପୋଷ୍ଟ କରି ରାହୁଲ ଲେଖିଛନ୍ତି ଯେ, ଭାରତ ଛାଡ଼ ଆନ୍ଦୋଳନ- ଆମ ଇତିହାସର ଏପରି ଏକ ଅଧ୍ୟାୟ ଯାହାକୁ କେବେବି ଭୁଲି ହେବ ନାହିଁ । ୮ ଅଗଷ୍ଟ, ୧୯୪୨ରେ ବମ୍ବେରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଇଂରେଜମାନଙ୍କ ନିଦ ଉଡ଼ାଇଦେଇଥିଲା । ସେହି ଦିନ ସଂଧ୍ୟାରେ ବମ୍ବେର ଗୋବାଲିଆ ଟ୍ୟାଙ୍କ ପଡ଼ିଆରେ ଲୋକମାନେ ଏକାଠି ହେବା ଆରମ୍ଭ କରିଥିଲେ । ମହାତ୍ମା ଗାନ୍ଧି ‘କର ବା ମର’ ଡକରା ଦେଇଥିଲେ ଓ ଏହା ସହିତ ଭାରତରେ ଇଂରେଜ ଶାସନର ଶେଷ ଅଧ୍ୟାୟ ଆରମ୍ଭ ହୋଇଥିଲା ।

ଏହି ଆନ୍ଦୋଳନରେ ଲୋକମାନେ ନିଜ ଜୀବନକୁ ଖାତିର ନକରି ଯୋଗଦେଇଥିଲେ ଓ ଏହି ଆନ୍ଦୋଳନରେ ପ୍ରାୟ ୯୪୦ ଜଣ ଲୋକ ଶହୀଦ ହୋଇଥିଲେ ଓ ହଜାର ହଜାର ଗିରଫ ହୋଇଥିଲେ । ଆଜି ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତି ଉପଲକ୍ଷେ ମୁଁ ସହୀଦ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି ।

ଆଜି ଦେଶର ଏକଛତ୍ରବାଦ ସରକାର ବିରୋଧରେ ଓ ଦେଶକୁ ବଞ୍ଚାଇବାକୁ ଆଉ ଏକ ‘କର ବା ମର’ ଆନ୍ଦୋଳନର ଆବଶ୍ୟକତା ରହିଛି । ସମୟ ଆସିଛି, ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ହେବ । ଏକଛତ୍ରବାଦ, ମହଙ୍ଗାଇ ଓ ବେରୋଜଗାରୀକୁ ଭାରତ ଛାଡ଼ିବାକୁ ହେବ ।

ସମ୍ବନ୍ଧିତ ଖବର