ବିହାର ନିର୍ବାଚନ ଫଳାଫଳ ସହ କଂଗ୍ରେସ ନେତୃତ୍ୱର ତ୍ରୁଟି ବିଚ୍ୟୁତି ଅନୁସନ୍ଧାନ ପାଇଁ ସମୟ ସମାପ୍ତ ହୋଇଯାଇଛି: କପିଲ ସିବଲ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପୁଣିଥରେ କଂଗ୍ରେସର ଦଳୀୟ ନେତୃତ୍ୱ ପ୍ରତି ବରିଷ୍ଠ ନେତାଙ୍କ ଅସନ୍ତୋଷ ତୀବ୍ର ହେବାକୁ ଆରମ୍ଭ କରିଛି। ପୁଣିଥରେ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ଦଳୀୟ ବରିଷ୍ଠ ନେତା। ଆଜି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦଳର ଅନ୍ୟତମ ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ଯେ ବିହାର ନିର୍ବାଚନ ଫଳାଫଳ ପରେ ଦଳ ଭିତରେ ତ୍ରୁଟି ବିଚ୍ୟୁତି କେଉଁଠି ରହିଛି ତାହା ଅନୁସନ୍ଧାନ କରିବାର ସମୟ ସମାପ୍ତ ହୋଇଯାଇଛି।

ଆମ୍ଭେମାନେ ଯେ ଆଦୌ ସେହି ପ୍ରକାରର ବଳ ନୁହଁ; ଯେପରି ନିଜକୁ ଭାବୁଛୁ ତାହା ବିହାର ଫଳାଫଳରୁ ବେଶ ସ୍ପଷ୍ଟ। ଏହା ତିକ୍ତ ହେଲେ ମଧ୍ୟ ସତ୍ୟ। ଏହାକୁ ସ୍ୱୀକାର କରିବା ପାଇଁ ପଡ଼ିବ। ଏବଂ ଯେଉଁମାନେ ଏହି ବ୍ୟପାରରେ ଅଭିଜ୍ଞ ସେମାନଙ୍କ ଅଭିଜ୍ଞତାକୁ ଆଣି ଦଳ ପାଇଁ ଉପଯୋଗ କରିବା ଆବଶ୍ୟକ ବୋଲି ଶ୍ରୀ ସିବଲ କହିଛନ୍ତି।

ଦଳର ନେତୃତ୍ୱକୁ ସମାଲୋଚନା କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ଯେ କଂଗ୍ରେସ ଦଳ ଓ ସଂଗଠନକୁ ପୁନର୍ଜୀବିତ କରିବାକୁ ହେଲେ ଅଭିଜ୍ଞ ମନ, ଅଭିଜ୍ଞ ହାତ ଏବଂ ଯେଉଁମାନେ ରାଜନୈତିକ ବାସ୍ତବତା ବୁଝନ୍ତି ସେମାନଙ୍କୁ ଅଗ୍ରାଧିକାର ଦେବାକୁ ହେବ। ଏଥିପାଇଁ ଆମକୁ ବିଭିନ୍ନ ସ୍ତରରେ ଅନେକ କାର୍ଯ୍ୟ କରିବାକୁ ପଡିବ। ସାଂଗଠନିକ ସ୍ତରରେ ଲୋକମାନେ ଶୁଣିବାକୁ ଚାହୁଁଥିବା ଲୋକଙ୍କୁ ରଖିବା ସହ ଏକ ସକ୍ରିୟ, ଚିନ୍ତାମୁକ୍ତ ନେତୃତ୍ୱ ପ୍ରଦାନ କରିବାକୁ ହେବ। କଂଗ୍ରେସ କର୍ମୀମାନେ ନିଶ୍ଚିତ ହେବା ଉଚିତ ଯେ ଆମେ ହ୍ରାସ ପାଉଛୁ ଏବଂ ସେହି ଅନୁଯାୟୀ ସେମାନଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। କର୍ମୀମାନେ ସଂପୂର୍ଣ୍ଣ ଆତ୍ମବିଶ୍ୱାସ ଓ ଭୋଟରମାନେ ସଂପୂର୍ଣ୍ଣ ଆସ୍ଥା ହରାଇବା ପୂର୍ବରୁ ଏହାକୁ ଆଉଥରେ ଫେରାଇ ଆଣିବାକୁ ହେବ। ଆମର ଦୋଷ ଓ ଦୁର୍ବଳତା କେଉଁଠି ରହିଛି ସେକଥା ଆମେ ସମସ୍ତେ ଜାଣୁ, ତେଣୁ ସେ ବାବଦରେ ଆଉ ଅଧିକ ଅନୁସନ୍ଧାନର ଆବଶ୍ୟକତା ନାହିଁ।

ଯେହେତୁ ମୋର ମତାମତ ପ୍ରକାଶ କରିବାକୁ କୌଣସି ଫୋରମ୍‌ ନାହିଁ, ତେଣୁ ମୁଁ ସେମାନଙ୍କୁ ସର୍ବସାଧାରଣରେ ମୋ ମତାମତ ଜଣାଇବାକୁ ବାଧ୍ୟ ହେଉଛି। ମୁଁ ଜଣେ କଂଗ୍ରେସ କର୍ମୀ ଏବଂ ମୁଁ ଜଣେ କଂଗ୍ରେସ କର୍ମୀ ରହିବି ଏବଂ ଆଶା କରୁଛି ଏବଂ ପ୍ରାର୍ଥନା କରୁଛି ଯେ ଏକ ଶକ୍ତି ସଂରଚନାର ବିକଳ୍ପ ଆଉ ବିଳମ୍ବ ନକରି ନେତୃତ୍ୱ ଦଳକୁ ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ସିବଲ ନିଜ ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧିତ ଖବର

Comments are closed.