୨୦୨୪ ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କୁ ହଟାଇବାର ସମୟ ଆସିଛି: ଶରଦ ପାୱାର

ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କୁ ହଟାଇବା ପାଇଁ ବିରୋଧୀ ଏକଜୁଟ ହେବାରେ ଲାଗିଛନ୍ତି। ପୂର୍ବରୁ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରୁଥିବାର ଦେଖଯାଇଥିବା ବେଳେ ଏବେ ଏନସିପି ସୁପ୍ରିମୋ ବଡ଼ ଘୋଷଣା କରିଛନ୍ତି। ରବିବାର ଦିନ ହରିୟାଣାର ଫତେହାବାଦରେ ଅନେକ ବିରୋଧୀଦଳ ନେତା ଏକାଠି ହୋଇଥିବା ବେଳେ ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଯେ, ୨୦୨୪ରେ କେନ୍ଦ୍ରରେ ସରକାର ବଦଳାଇବା ଦିଗରେ କାର୍ଯ୍ୟ କରିବାର ସମୟ ଆସିଛି।

କୃଷି ଆଇନ ବିରୋଧରେ ହୋଇଥିବା ଆନ୍ଦୋଳନ ସମ୍ପର୍କରେ ସେ କହିଛନ୍ତି ଯେ, କୃଷକମାନେ ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ଆତ୍ମହତ୍ୟା ନକରି ସରକାର ବଦଳାଇବା ପ୍ରକୃତ ସମାଧାନ ହେବ। ଜାତୀୟ ରାଜଧାନୀ ସୀମାରେ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ଧ୍ୟାନ ଦେଇନଥିଲେ। କୃଷକ ନେତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ ବୋଲି ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ(ଆରଏନଏଲଡି) ଦ୍ୱାରା ଆୟୋଜିତ ଏକ ମେଗା ରାଲିରେ ପାୱାର କହିଛନ୍ତି। ଏହି ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ ମଧ୍ୟ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି।

ଉକ୍ତ ସମାବେଶରେ ନୀତୀଶ କୁମାର ମଧ୍ୟ କଂଗ୍ରେସ ଏବଂ ବାମପନ୍ଥୀ ସମେତ ସମସ୍ତ ଅଣ-ବିଜେପି ଦଳକୁ ଏକଜୁଟ ହେବାକୁ କହିଥିଲେ। ଏହା ସହ ୨୦୨୪ରେ ବିଜେପିକୁ କ୍ଷମତାରୁ ହଟାଇବାକୁ ସମସ୍ତେ ସାହାଯ୍ୟ କରିବା ଜରୁରୀ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର