ଟାଇମ୍ସ ଜନମତ ସର୍ବେକ୍ଷଣ, ନିଯୁକ୍ତି ସବୁଠାରୁ ବଡ଼ ପ୍ରସଙ୍ଗ

ମୋଦୀଙ୍କୁ ପୁଣି ଚାହାନ୍ତି ୮୪% ଲୋକ

ନୂଆଦିଲ୍ଲୀ: ଆଉ କେଇ ସପ୍ତାହ ପରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଟାଇମସ ଗ୍ରୁପ୍ ଦ୍ବାରା କରାଯାଇଥିବା ଅନଲାଇନ୍‌ ଜନମତ ସର୍ବେକ୍ଷଣରେ ନରେନ୍ଦ୍ର ମୋଦୀଙ୍କୁ ଦେଶବାସୀ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହିଥିବା ଜଣାଯାଇଛି। ଅନ୍ୟପକ୍ଷରେ ୪୦.୨୧ ପ୍ରତିଶତ ଲୋକ କର୍ମ ନିଯୁକ୍ତି ୨୦୧୯ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ ହେବ ବୋଲି କହିଛନ୍ତି। କୃଷକଙ୍କ ସମସ୍ୟା ଦ୍ବିତୀୟ ବଡ଼ ପ୍ରସଙ୍ଗ ହେବ ବୋଲି ୨୧.୮୨ ପ୍ରତିଶତ ଲୋକ କହିଛନ୍ତି। ମୋଦୀଙ୍କ ନେତୃତ୍ବାଧୀନ ଏନଡିଏ ସରକାର ପୁଣି ଥରେ ଶାସନ କ୍ଷମତା ହାସଲ କରୁ ବୋଲି ଏହି ସର୍ବେକ୍ଷଣର ତଥ୍ୟ କହୁଛି। ଅପରପକ୍ଷେ, ସାମ୍ପ୍ରତିକ ସ୍ଥିତିରେ ଆଜି ନିର୍ବାଚନ ହେଲେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଅନ୍ୟତମ ସମ୍ଭାବ୍ୟ ପ୍ରାର୍ଥୀ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଏବଂ ମାୟାବତୀଙ୍କ ପ୍ରତି ଲୋକଙ୍କ ପସନ୍ଦ ମୋଦୀଙ୍କ ତୁଳନାରେ ଅତି ନଗଣ୍ୟ ରହିଛି। ସବିଶେଷ ତଥ୍ୟ ଅନୁସାରେ, ଗତ ୧୧ ତାରିଖରୁ ୨୦ ତାରିଖ ଭିତରେ ଟାଇମସ ଗ୍ରୁପର ୯ଟି ଭାଷାରେ ଏବଂ ୧୩ଟି ଗଣମାଧ୍ୟମ ସଂସ୍ଥା ଦ୍ବାରା ଅନୁଷ୍ଠିତ ଏହି ସର୍ବେକ୍ଷଣରେ ଦେଶର ବିଭିନ୍ନ ବର୍ଗର ଦୁଇ ଲକ୍ଷରୁ ଅଧିକ ଜନସାଧାରଣ ସାମିଲ ହୋଇଥିଲେ। ଏଥିରେ ୫ ଲକ୍ଷରୁ ଅଧିକ ମତ ସାବ୍ୟସ୍ତ କରିଥିବା ବେଳେ ଫଳାଫଳକୁ କେହି ନିଜ ଇଚ୍ଛାରେ ପ୍ରଭାବିତ କରିବା ଆଶଙ୍କାକୁ ଦୂରେଇବା ଲାଗି କେବଳ ଲଗ୍ ଇନ୍ କରିଥିବା ୨ ଲକ୍ଷ ବ୍ୟବହାରକାରୀଙ୍କ ମତାମତକୁ ବିଚାରକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୮୩.୮୯ ପ୍ରତିଶତ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ହେବା ଲାଗି ମତ ରଖିଥିବା ବେଳେ ତାଙ୍କର ଯଥେଷ୍ଟ ପଛକୁ କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀଙ୍କ ସପକ୍ଷରେ ୮.୩୩% ମତ ଦେଇଛନ୍ତି। ତେବେ ରାହୁଲ ପୂର୍ବାପେକ୍ଷା(୨୦୧୪ ତୁଳନାରେ) ଅଧିକ ଲୋକପ୍ରିୟ ହୋଇଛନ୍ତି କି ବୋଲି ପଚରାଯାଇଥିବା ପ୍ରଶ୍ନରେ ମାତ୍ର ୩୧% ସପକ୍ଷରେ ମତ ଦେଇଥିବା ବେଳେ ୬୩% ମୁହଁ ଫେରାଇଛନ୍ତି। ସେହିପରି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧.୪୪% ଏବଂ ବହୁଜନ ସମାଜ ପାର୍ଟି ସଭାନେତ୍ରୀ ତଥା ଉତ୍ତରପ୍ରଦେଶର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ୦.୪୪% ଲୋକ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଚାହିଛନ୍ତି। ଅପରପକ୍ଷେ, ଏନଡିଏ ହାତରେ ଶାସନ ସମର୍ପିବାକୁ ୮୩.୦୩% ମତ ରଖିଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ସରକାର ସପକ୍ଷରେ ୯.୨୫%, ମୋଦୀଙ୍କୁ ଛାଡ଼ି ଏନଡିଏ ସପକ୍ଷରେ ୪.୨୫% ଏବଂ ମହାମେଣ୍ଟ ସପକ୍ଷରେ ୩.୪୭% ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର