ବିରୋଧ ଭିତରେ ଟିପୁ ଜୟନ୍ତୀ

ବେଙ୍ଗାଲୁରୁ: ବହୁ ବିବାଦ ଓ ବିରୋଧ ସତ୍ତ୍ବେ ଆଜି କର୍ଣ୍ଣାଟକର କୋଡ଼ାଗୁରେ ଟିପୁ ଜୟନ୍ତୀ ଉତ୍ସବ ପାଳିତ ହୋଇଛି। କର୍ଣ୍ଣାଟକରେ ନୂଆ ମେଣ୍ଟ ସରକାର ବିଜେପିର ବିରୋଧକୁ ଭ୍ରୂକ୍ଷେପ ନକରି ଟିପୁ ଜୟନ୍ତୀ ଉତ୍ସବ ପାଳନ କରିଛି। ‌ତେବେ ଜୟନ୍ତୀ ଉତ୍ସବକୁ ବିଜେପି ଦ୍ବାରା ଜୋରଦାର ବିରୋଧ କରାଯାଇ ଆଜି ବିଭିନ୍ନ ସ୍ଥାନରେ ପ୍ରତିବାଦ ଆନ୍ଦୋଳନ ହୋଇଥିଲା। ମାଡ଼ିକେରିରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମୁଖ୍ୟ ଉତ୍ସବ ପାଳନ କରାଯାଇଥିଲା। ଉତ୍ସବରେ ଖୋଦ୍‌ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିବା ଘଟଣାକୁ ଆଜି ବିଜେପି କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ନିଜେ ଟିପୁ ଜୟନ୍ତୀ ଉତ୍ସବ ଘୋଷଣା କରିଥିବା ବେଳେ ଅନ୍ୟପଟେ ଏଥିରୁ ଦୂରେଇ ରହିବା ଆଶ୍ଚର୍ଯ୍ୟର ବିଷୟ। ଏହା ସରକାରଙ୍କ ଦ୍ବିପାକ୍ଷିକ ମନୋଭାବର ପରିପ୍ରକାଶ କରୁଛି ବୋଲି ବିଜେପି କହିଛି। କର୍ଣ୍ଣାଟକ ବିଜେପି ମୁଖପାତ୍ର ଏସ୍‌ ପ୍ରକାଶ କହିଛନ୍ତି ଯେ ଭୟରେ ସେମାନେ ଉତ୍ସବରୁ ଦୂରେଇ ରହିଛନ୍ତି। ସେମାନଙ୍କ ଉପରେ ଭରସା ରଖିଥିବା ଭୋଟରମାନଙ୍କୁ ସେମାନେ ଧୋକା ଦେଇଛନ୍ତି। କୁମାରସ୍ବାମୀ ଉତ୍ସବ ଘୋଷଣା କରି ଏବେ ଲୁଚିଛନ୍ତି କାହିଁକି ବୋଲି ବିଜେପି ପ୍ରଶ୍ନ ଉଠାଇଛି।

ଉଲ୍ଲେଖଯୋଗ୍ୟ, ଆଜି ବହୁ ସଂଖ୍ୟାରେ ବିଜେପି ନେତା ଟିପୁ ଜୟନ୍ତୀ ଉତ୍ସବକୁ ବିରୋଧ କରି ବିଭିନ୍ନ ସ୍ଥାନରେ ସ୍ଲୋଗାନ୍‌ ଦେଇଥିବା ବେଳେ କଂଗ୍ରେସ ସମର୍ଥକମାନେ ମଧ୍ୟ ବିଜେପିକୁ ବିରୋଧ କରି ସ୍ଲୋଗାନ୍‌ ଦେଇଥିଲେ। ତେବେ କିଛି ସ୍ଥାନରେ ସ୍ଥିତି ଅଣାୟତ୍ତ ହୋଇଯିବାରୁ ପୁଲିସ ବିଜେପି ନେତାମାନଙ୍କୁ ଘଉଡ଼ାଇ ଦେଇଥିଲା। ଆନ୍ଦୋଳନ ଜୋରଦାର ହେବାରୁ ପୁଲିସ ୩ ବିଜେପି ବିଧାୟକଙ୍କ ସମେତ ୧୭୦ ଜଣଙ୍କୁ ଗିରଫ କରି ହାଜତରେ ରଖିଛି। ମାଡ଼ିକେରିରେ ଏବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ରାଜ୍ୟରେ ୧୪୪ ଧାରା ଜାରି ହୋଇଛି।

ସମ୍ବନ୍ଧିତ ଖବର