ତୀର୍ଥ ଦର୍ଶନ ନାଁରେ ବୁଲିବାକୁ ଯାଉଛନ୍ତି ବରିଷ୍ଠ ନାଗରିକ, ମନ୍ତ୍ରୀ ଦେଲେ ବିବାଦୀୟ ବୟାନ

ଭୋପାଳ: ବରିଷ୍ଠ ନାଗରିକଙ୍କ ପାଇଁ କରାଯାଉଥିବା ତୀର୍ଥ ଦର୍ଶନ ଯୋଜନାର କୌଣସି ଲାଭ ନାହିଁ, ଏହା ଦ୍ୱାରା କେବଳ ସରକାରୀ ଅର୍ଥର ଅପବ୍ୟୟ ହେଉଛି | ସରକାରଙ୍କ ଏହି ଯୋଜନାରେ ଯାଉଥିବା ବରିଷ୍ଠ ନାଗରିକଙ୍କ ମନରେ କୌଣସି ଭକ୍ତି ଭାବ ନଥିବାବେଳେ କେବଳ ମନୋରଞ୍ଜନ ପାଇଁ ସେମାନେ ବୁଲିବାକୁ ଯାଉଛନ୍ତି | ମଧ୍ୟପ୍ରଦେଶ ସରକାରଙ୍କର ଜଣେ ମନ୍ତ୍ରୀ କିଛି ଏଭଳି ବିବାଦୀୟ ବୟାନ ଦେଇଛନ୍ତି |  ଏହି ମନ୍ତ୍ରୀଜଣକ ହେଉଛନ୍ତି ମଧ୍ୟପ୍ରଦେଶର ସମବାୟ ମନ୍ତ୍ରୀ ଗୋବିନ୍ଦ ସିଂହ  | ସେ କହିଛନ୍ତି ଯେ ତୀର୍ଥ ଦର୍ଶନ ଯୋଜନାରେ ଯାଉଥିବା ବରିଷ୍ଠ ନାଗରିକମାନଙ୍କର କୌଣସି ଭକ୍ତି ଭାବ ନଥାଏ ବରଂ କେବଳ ମାଗଣାରେ ବୁଲିବା ପାଇଁ ତୀର୍ଥ ସ୍ଥଳକୁ ଯାଉଛନ୍ତି |

Photo-Haribhoomi

ସେ କହିଛନ୍ତି ଯେ ଲୋକ ପରିଶ୍ରମ କରି ଯେଉଁ ଅର୍ଥ ଆୟ କରିବେ ସେଥିରେ ଭଗବାନଙ୍କୁ ଦର୍ଶନ କରିବାକୁ ଗଲେ ସେମାନଙ୍କ ଜୀବନରେ ଖୁସି ଆସିବ | ଏହି ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥ ରାଶି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଖର୍ଚ୍ଚ କଲେ ଭଲ ହୁଅନ୍ତା | ଯେଉଁ ଯୋଜନାରେ ଲୋକ ବିନା କୌଣସି ଶ୍ରଦ୍ଧାରେ ଯାଉଛନ୍ତି ସେହି ଯୋଜନାର ଲାଭ କଣ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି |

ଭୋଟରଙ୍କୁ କେବଳ ଲୋଭ ଦେବା ପାଇଁ ଏଭଳି ଯୋଜନା କରାଯାଇଛି ବୋଲି ମନ୍ତ୍ରୀ ଗୋବିନ୍ଦ ସିଂହ କହିଛନ୍ତି | ଏଠାରେ ସୂଚନା ଥାଉ କି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବରିଷ୍ଠ ନାଗରିକଙ୍କୁ ଧାର୍ମିକ ଯାତ୍ରା କରାଇବା ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ | ଏହି ଯୋଜନାରେ ମଧ୍ୟପ୍ରଦେଶର ବରିଷ୍ଠ ନାଗରିକମାନେ ରାମେଶ୍ୱରମ, ତିରୁପତି, କାଶୀ ଓ ଦ୍ୱାରିକା ତୀର୍ଥ ସ୍ଥଳୀ ଯିବାର ଯୋଜନା କରାଯାଇଥିଲା |

ସମ୍ବନ୍ଧିତ ଖବର