ଯାତ୍ରୀମାନଙ୍କଠାରୁ ବକ୍‌ସିସ୍‌ ନେଇ ତିରୁମାଲା ମନ୍ଦିରରୁ ୨୪୩ ବାରିକ ବହିଷ୍କୃତ

ତିରୁବନନ୍ତପୁରମ୍‌: ଲଣ୍ଡିତ ହେଉଥିବା ଯାତ୍ରୀମାନଙ୍କଠାରୁ ବକ୍‌ସିସ୍‌ ନେବା କାରଣରୁ ଅନ୍ୟୂନ ୨୪୩ ବାରିକଙ୍କୁ ତିରୁମାଲା ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟ୍‍ ବହିଷ୍କାର କରିଛି। ଫଳତଃ, ସେ ବାରିକମାନଙ୍କୁ ପୁଣି ସେମାନଙ୍କ କର୍ମସ୍ଥଳରେ ଅବସ୍ଥାନ କରାଇବାକୁ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆନ୍ଧ୍ରପ୍ରଦେଶର ଚିତୂର ଜିଲ୍ଲାରେ ଅବସ୍ଥିତ ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିରର ପରିଚାଳନା କରୁଥିବା ମନ୍ଦିର କର୍ତ୍ତୃପକ୍ଷ ଏ ମାମଲାରେ ତିନି ଦିନ ତଳେ ବିଜ୍ଞପ୍ତି ଜାରି କରିବା ପରେ ସେ ବାରିକମାନଙ୍କୁ ବହିଷ୍କାର କରାଯାଇଛି।

ସେମାନଙ୍କୁ ପୁନଃଅବସ୍ଥାପନ କରିବା ନିମନ୍ତେ ଦାବି କରି ମନ୍ଦିର କର୍ତ୍ତୃପକ୍ଷଙ୍କ ନିକଟରେ ଆନ୍ଧ୍ରପ୍ରଦେଶ ତିରୁମାଲା ମନ୍ଦିରର ବାରିକମାନେ ଗତକାଲି ପ୍ରତିବାଦ କରିଥିଲେ।

Photo Courtesy of HT

ମିଳିଥିବା ରିପୋର୍ଟ ଅନୁସାରେ, ଭାରତ ସବୁଠୁ ବିତ୍ତଶାଳୀ ମନ୍ଦିର ପରିଚାଳନା କରୁଥିବା ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେରେ ଅବସ୍ଥିତ ତିରୁମାଲା ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟ୍‍ କାର୍ଯ୍ୟାଳୟ ସମ୍ମୁଖରେ ବାରିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶନିବାର ଦିନ କରାଯାଇଥିବା ଏହି ବିକ୍ଷୋଭରେ ବାରିକମାନେ ଦାବି କରିଥିଲେ କି, ଏହାଦ୍ୱାରା ସେମାନଙ୍କର ଦାନାପାଣି ଚାଲି ଯାଉଥିବାରୁ ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କୁ ପୁନଃ ଅବସ୍ଥାପିତ କରାଯାଉ।

ଆକଳନ ଅନୁସାରେ ସପ୍ତାହକୁ ତିରୁମାଲା ମନ୍ଦିରକୁ ପ୍ରାୟ ୬୦ ହଜାର ରୁ ୭୦ ହଜାର ଯାତ୍ରୀ ଆସି ଥାଆନ୍ତି। ସପ୍ତାହନ୍ତ ଏବଂ ଛୁଟି ଦିବସ ସବୁରେ ଯାତ୍ରୀ ସଂଖ୍ୟା ଏକ ଲକ୍ଷରେ ପହଞ୍ଚି ଯାଏ। ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ୭୦ ଭାଗ ମାନସିକ ରଖିଥିବା ଯାତ୍ରୀ ପ୍ରଭୁ ତିରୁପତିଙ୍କ ଦର୍ଶନ ପୂର୍ବରୁ ଲଣ୍ଡା ହୋଇଥାଆନ୍ତି।

 

ମନ୍ଦିର ନିକଟରେ ଅବସ୍ଥିତ ବିଶାଳ ଚୂଳକଟା ସେଲୁନ୍‌ କଲ୍ୟାଣ କଟ୍ଟା ପରିସରରେ ସିଫ୍‌ଟ୍‌ ଅନୁସାରେ ଦିନ ରାତି ଚବିଶ ଘଣ୍ଟା କାର୍ଯ୍ୟ କରିବାକୁ ତିରୁମାଲା ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟ୍‍ ଦ୍ୱାରା ଚୁକ୍ତି ଭିତ୍ତିରେ ଅନ୍ୟୂନ ୯୪୩ ଜଣ ବାରିକ ଚୟନ କରାଯାଇଥିଲା।

Photo Courtesy of Patrika

ମନ୍ଦିରର ନିୟମ କହେ ଯେ ସେଠାରେ ମାଗଣାରେ ଲଣ୍ଡା କରାଯାଉଛି। କିନ୍ତୁ ତିରୁମାଲା ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟ୍‍ ଯାତ୍ରୀମାନଙ୍କ ଠାରୁ ଅଭିଯୋଗ ପାଉଥିଲେ କି, କେତେକ ବାରିକ ୧୦ ଟଙ୍କା ଠାରୁ ଆରମ୍ଭ କରି ୫୦ ଟଙ୍କା ଯାଏ ବକ୍‌ସିସ୍‌ ମାଗୁଛନ୍ତି।

ଭିଜିଲାନ୍‌ସ୍‌, ତିରୁମାଲା ତିରୁପତି ଦେବସ୍ଥାନମ୍‌ ଟ୍ରଷ୍ଟ୍‍ର ସିକ୍ୟୁରିଟି ଶାଖା ଏବଂ କଲ୍ୟାଣ କଟ୍ଟାଠାରେ ଖଞ୍ଜା ଯାଇଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ଆଦି ଦ୍ୱାରା ଅଭିଯୋଗର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବା ପରେ ଯାଇ ବୁଧବାର ଦିନ ୨୪୩ ଜଣ ବାରିକଙ୍କୁ ବହିଷ୍କାର କରାଯାଇଥିଲା ବୋଲି କାର୍ଯ୍ୟ ନିର୍ବାହି ଅଧିକାରୀ ଅନୀଲ କୁମାର ସିଙ୍ଘଲ କହିଛନ୍ତି।

ସେମାନଙ୍କୁ ନିୟମିତ ଭାବେ ନୁହେଁ ମୁଣ୍ଡପିଛା ୧୦ ଟଙ୍କା ହାରରେ ଆଉଟ୍‌ସୋର୍ସିଙ୍ଗ୍‌ ଭାବେ ରଖା ଯାଇଥିଲା। ଯାତ୍ରୀମାନଙ୍କ ଠାରୁ ବକ୍‌ସିସ୍‌ ଗ୍ରହଣ ନ କରିବାକୁ ଆମେ ଥରେ ନୁହେଁ ତିନି ତିନି ଥର ତାଙ୍କୁ ଚେତାବନୀ ଶୁଣାଇ ଥିଲୁ। ଫଳତଃ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲୁ ବୋଲି ଜଣେ ମୁଖପାତ୍ର କହିଛନ୍ତି।

Photo Courtesy of HT

କେତେକ ଯାତ୍ରୀ ମାଗଣାରେ ଲଣ୍ଡା ହେବାକୁ ଚାହୁଁ ନାହାନ୍ତି। ତେଣୁ ସେମାନେ ନିଜର ଆତ୍ମ ସନ୍ତୋଷ ପାଇଁ ଆମକୁ ଅନ୍ୟୂନ ୧୦/୨୦ ଟଙ୍କା ଦେଉଛନ୍ତି। ଏହାକୁ ସେମାନେ ବକ୍‌ସିସ୍‌ କେମିତି କହୁଛନ୍ତି? ବୋଲି ଜଣେ ବାରିକ ପ୍ରଶ୍ନ କରିଛନ୍ତି।

କୌତୁକର କଥା ହେଉଛି ମଣିଷଙ୍କ ଚୂଳ ନିଲାମ କରି ପ୍ରତିବର୍ଷ ମନ୍ଦିର କର୍ତ୍ତୃପକ୍ଷ ୧୫୦ରୁ ୨୦୦ କୋଟି ଟଙ୍କା ଉପାର୍ଜନ କରୁଛନ୍ତି।

ସମ୍ବନ୍ଧିତ ଖବର