ତିରୁପତି: ତିରୁପତି ପ୍ରସାଦ ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜି ତାଙ୍କ ନିରବତା ଭାଙ୍ଗିଛନ୍ତି ଏବଂ ଭକ୍ତଙ୍କୁ ଅର୍ପଣ କରାଯାଇଥିବା ଲଡୁରେ କୌଣସି  ପଶୁ ଚର୍ବି ଓ ମାଛ ତେଲ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଟାର୍ଗେଟ କରି ଜଗନ କହିଛନ୍ତି ଯେ ନାଇଡ଼ୁ ଅନ୍ୟ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଭଗବାନଙ୍କ ନାମରେ ରାଜନୀତି କରୁଛନ୍ତି। ଅନ୍ୟପକ୍ଷରେ ଏହି ବିବାଦ ନେଇ  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ମାମଲାର ବିସ୍ତୃତ ରିପୋର୍ଟ ମାଗିଛନ୍ତି। ସଂପୂର୍ଣ୍ଣ ରିପୋର୍ଟ ଅନୁଧ୍ୟାନ ପରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ନଡ୍ଡା କହିଛନ୍ତି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି  ଜଗନ କହିଛନ୍ତି ଯେ  ଲଡୁରେ ପଶୁ ଚର୍ବି ଏବଂ ମାଛ ତେଲର ପ୍ରମାଣ ଥିବା ନେଇ ଆସିଥିବା ଲ୍ୟାବ୍‌ ରିପୋର୍ଟର ପୁଙ୍ଖାନୁପୁଙ୍ଖ  ତଦନ୍ତ ହେବା ଜରୁରୀ। ଜୁଲାଇ ମାସ‌େର ଯେତେବେଳେ  ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଏହି ରିପୋର୍ଟ ଆସିଥିବା ସେ କହିଛନ୍ତି। ଵାଇଏସ୍‌ଆର କଂଗ୍ରେସ ପାର୍ଟି ମୁଖ୍ୟ କହିଛନ୍ତି ଯେ ଘିଅର ଗୁଣବତ୍ତା ଖରାପ ଥିବା ନେଇ ଯେତେବେଳେ ଆମେ ଜାଣିବାକୁ ପାଇଲୁ, ସେତେବେଳେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲୁ । ପ୍ରତି ଛଅ ମାସରେ ଥରେ ଘିଅ ପାଇଁ ଟେଣ୍ଡର ପ୍ରକ୍ରିୟା ହୋଇଥାଏ ଏବଂ ଦଶନ୍ଧି ଧରି ଯୋଗ୍ୟତା ମାନଦଣ୍ଡରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯୋଗାଣକାରୀମାନେ ଏକ  ଉତ୍ପାଦ ଗୁଣବତ୍ତା ପ୍ରମାଣପତ୍ର ପ୍ରଦାନ କରିଥାନ୍ତି ଏବଂ ଟିଟିଡି ଘିଅର ନମୁନା ପରୀକ୍ଷା ପରେ ଏହାକୁ ଗ୍ରହଣ କରିଥାଏ। ଗୁଣବତ୍ତା ପରୀକ୍ଷା ପରେ  ଆମେ ୧୮ ଥର ଉତ୍ପାଦକୁ ପ୍ରତ୍ୟାଖ୍ୟାନ କରିଛୁ ଏବଂ ଏ ସଂକ୍ରାନ୍ତ ସମସ୍ତ ରେକର୍ଡ ରହିଛି। କୌଣସି ସମୟରେ ବି  ବ୍ୟବହାର ହେଉଥିବା ଘଅ ନେଇ ସାଲିସ ହୋଇନାହିଁ ବୋଲି ଜଗନ ଦୃଢ଼ତାର ସହ କହିଛନ୍ତି।

ସୂଚନାଯୋଗ୍ୟ, ତିରୁପତି ଲଡୁ ତିଆରିରେ ପଶୁ ଚର୍ବି ଏବଂ ଅନ୍ୟାନ୍ୟ ନିମ୍ନମାନର ଉପାଦାନ ବ୍ୟବହାର କରାଯାଇଛି ବୋଲି ଗତକାଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦାବି କରିବା ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ନାଇଡୁ ପୂର୍ବ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାରକୁ ଲଡୁ ତିଆରି ପାଇଁ ବ୍ୟବହୃତ ଘିଅରେ ଅପମିଶ୍ରଣ ପାଇଁ ଦାୟୀ କରିଥିଲେ। ସେପ୍ଟେମ୍ବର ୨୦ ତାରିଖରେ ଗୁଜରାଟର ଏକ  ପରୀକ୍ଷାଗାର ଏନଡିଡିବି ସିଏଏଲ୍‌ଏଫ୍ ଲିମିଟେଡ୍ ମଧ୍ୟ ନିଶ୍ଚିତ କରିଥିଲା ଯେ ଲଡୁ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ଏବଂ ମାଛ ତେଲ ରହିଛି।

ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଲା
ନୂଆଦିଲ୍ଲୀ: ପ୍ରସିଦ୍ଧ ତିରୁପତି ଲଡୁ ତିଆରି କରିବା ପାଇଁ ପଶୁ ଚର୍ବି ବ୍ୟବହାର କରାଯାଇଥିବା ବିବାଦ ଜାରି ରହିଥିବା ବେଳେ ଏହି ମାମଲା ଶୁକ୍ରବାର ସୁପ୍ରିମ୍ କୋର୍ଟରେ ପହଞ୍ଚିଛି । ଜଣେ ଓକିଲ  ପିଟିସନ୍ ଦାଖଲ କରି କହିଛନ୍ତି ଯେ ଏହି କାର୍ଯ୍ୟ ମୌଳିକ ହିନ୍ଦୁ ଧାର୍ମିକ ରୀତିନୀତିକୁ ଉଲ୍ଲଂଘନ କରୁଛି ଏବଂ ପ୍ରସାଦକୁ ଏକ ପବିତ୍ର ଆଶୀର୍ବାଦ ଭାବେ ବିବେଚନା କରୁଥିବା ଅଗଣିତ ଭକ୍ତଙ୍କ ଭାବନାକୁ ଗଭୀର ଆଘାତ ଦେଇଛି। ଆବେଦନକାରୀ କହିଛନ୍ତି, ଲଡୁରେ ପଶୁ ଚର୍ବିର ଉପସ୍ଥିତି ମନ୍ଦିର ପ୍ରଶାସନରେ ବ୍ୟାପକ ବ୍ୟବସ୍ଥାଗତ ସମସ୍ୟାର ଲକ୍ଷଣ ଏବଂ ହିନ୍ଦୁ ଧାର୍ମିକ ପ୍ରଥାର ପବିତ୍ରତାକୁ ସୁରକ୍ଷିତ ରଖିବାକୁ ଏଥିରେ ତତ୍କାଳ ହସ୍ତକ୍ଷେପ ଲୋଡ଼ା।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ପଠାଯାଇଥିବା ଏକ ଚିଠିରେ ଆବେଦନକାରୀ ଆଇନଜୀବୀ ସତ୍ୟମ ସିଂହ କହିଛନ୍ତି, ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ପରିଚାଳିତ ମନ୍ଦିରରେ ପ୍ରସାଦ ଉପରେ ଆସିଥିବା ଅଭିଯୋଗ ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି ଏବଂ ଲଡୁରେ ପଶୁ ଚର୍ବି ବ୍ୟବହାର କରିବା ସମ୍ବିଧାନର ଧାରା ୨୫ର ଉଲ୍ଲଂଘନ କରୁଛି, ଯାହା କି ଧର୍ମ ସଂକ୍ରାନ୍ତ ସ୍ୱାଧୀନତା ଅଧିକାରକୁ ସୁନିଶ୍ଚିତ କରୁଛି।   ଧାର୍ମିକ ରୀତିନୀତି ପାଳନ କରିବାର ଯେଉଁ ଅଧିକାର ସମ୍ବିଧାନ ନାଗରିକଙ୍କୁ ଦେଇଛି, ଏହି ମାମଲାରେ ତାହା ଉଲ୍ଲଂଘନ ହୋଇଛି ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।