ହାଇଦ୍ରାବାଦ: ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାରକୁ ନେଇ ଆନ୍ଧ୍ରପ୍ରଦେଶରେ ବ୍ୟାପକ ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲେ ହେଁ ଦୈନିକ ୬୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ଶ୍ରୀଭେଙ୍କଟେଶ୍ୱର ମନ୍ଦିରରେ ଏହି ମୂଲ୍ୟବାନ ପ୍ରସାଦ ବିକ୍ରି ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ୪ ଦିନ ମଧ୍ୟରେ ୧୪ ଲକ୍ଷରୁ ଅଧିକ ତିରୁପତି ଲଡୁ ବିକ୍ରି ହୋଇଛି। ସେପ୍ଟେମ୍ବର ୧୯ରେ ୩.୫୯ ଲକ୍ଷ, ୨୦ରେ ୩.୧୭ ଲକ୍ଷ, ୨୧ରେ ୩.୬୭ ଲକ୍ଷ ଏବଂ ସେପ୍ଟେମ୍ବର ୨୨ରେ ୩.୬୦ ଲକ୍ଷ ଲଡୁ ବିକ୍ରି ହୋଇଥିଲା। ଦୈନିକ ହାରାହାରି ୩.୫୦ ଲକ୍ଷ ଲଡୁ ବିକ୍ରି କରାଯାଇଛି।

Advertisment

ଭକ୍ତମାନଙ୍କୁ ଏ ବିଷୟରେ ପଚାରିବାରୁ ତିରୁପତି ଲଡୁକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଅତୀତର କଥା ବୋଲି ଅନେକ ଶ୍ରଦ୍ଧାଳୁ କହିଛନ୍ତି। ମନ୍ଦିରରେ ଦୈନିକ ୩ ଲକ୍ଷରୁ ଅଧିକ ଲଡୁ ପ୍ରସ୍ତୁତ ହୋଇଥାଏ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ବନ୍ଧୁ ଓ ସମ୍ପର୍କୀୟଙ୍କୁ ଦେବା ପାଇଁ ବହୁ ସଂଖ୍ୟାରେ ଏହାକୁ କିଣିଥାନ୍ତି । ତିରୁପତି ଲଡୁର ଉପାଦାନ ମଧ୍ୟରେ ବେଙ୍ଗଲ ଚଣା, ଗାଈ ଘିଅ, ଚିନି, କାଜୁ, କିସମିସ୍ ଓ ବାଦାମ ଅନ୍ତର୍ଭୁକ୍ତ। ଦୈନିକ ୧୫ ହଜାର କେଜି ଗାଈ ଘିଅ ଲଡୁ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ।
ପୂର୍ବ ୱାଇଏସ୍‌ଆର୍‌ସିପି ସରକାର ସମୟରେ ତିରୁପତି ଲଡୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ଘିଅ ଅପମିଶ୍ରିତ ଓ ପଶୁଚର୍ବିଯୁକ୍ତ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିବା ପରେ  ବ୍ୟାପକ ବିବାଦ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି।

ପୁଣି ଏକ ଗୁରୁତର ଅଭିଯୋଗ ଲଡୁରୁ ମିଳିଲା ତମାଖୁ

ନୂଆଦିଲ୍ଲୀ: ତିରୁପତି ଲଡୁରେ ନିମ୍ନ ମାନର ଘିଅ ଏବଂ ପଶୁ ଚର୍ବିର ବ୍ୟବହାର ଭଳି ଅଭିଯୋଗକୁ ନେଇ ବିବାଦ ଥମି ନଥିବାବେଳେ ଏବେ ପୁଣି ଆଉ ଏକ ସଂଗୀନ ଅଭିଯୋଗ ହୋଇଛି। ପ୍ରସାଦରୁ ଗୁଟ୍‌ଖା ପ୍ୟାକେଟ୍‌ ଏବଂ ତମାଖୁ ମିଳିଥିବା ଜଣେ ଶ୍ରଦ୍ଧାଳୁ ଦାବି କରିଛନ୍ତି।  ଖମ୍ମାମ ଜିଲ୍ଲାର ଜଣେ ବାସିନ୍ଦା ଦନ୍ଥୁ ପଦ୍ମାବତୀ କହିଛନ୍ତି,  ସେପ୍ଟେମ୍ବର ୧୯ ତାରିଖରେ ସେ ମନ୍ଦିର ଯାଇଥିଲେ ଏବଂ ମନ୍ଦିରରୁ ସେ ପ୍ରସାଦ ଆଣିଥିଲେ। ତେବେ ସେ ପ୍ରସାଦ ବାଣ୍ଟିବାବେଳେ ଏଥିରୁ ତମାଖୁ ପାଇଥିବା କହିଛନ୍ତି।  ତେବେ ମନ୍ଦିର କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଏହା ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି।

ଇତିମଧ୍ୟରେ ଦେଶର ଖାଦ୍ୟ ସୁରକ୍ଷା ନିୟାମକ ପକ୍ଷରୁ  ତାମିଲନାଡ଼ୁର ଏକ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି।  ତିରୁମାଳା ତିରୁପତି ଦେବସ୍ଥାନମ ମନ୍ଦିର କର୍ତ୍ତୃପକ୍ଷଙ୍କୁ ନିମ୍ନ ମାନର ଘିଅ ଯୋଗାଣ କରାଯାଉଥିବା ଅଭିଯୋଗରେ ଏହି କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଲଡ଼ୁ ବିବାଦ ହେବାପରେ ମନ୍ଦିରରେ ୪ ଘଣ୍ଟାର ସୁଦ୍ଧିକରଣ କାର୍ଯ୍ୟ ହୋଇଛି।  ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଉକ୍ତ ଘଟଣାରେ ଏସ୍‌ଆଇଟି ତଦନ୍ତ ହେବ ବୋଲି ଘୋଷଣା କରିଛନ୍ତି।