ଭଗବାନ ତିରୁପତିଙ୍କ ଦିବ୍ୟ ନିର୍ଦ୍ଦେଶକ୍ରମେ ମନ୍ଦିରର ଜମା ୟେସ ବ୍ୟାଙ୍କରୁ ଉଠାଇ ନେଇଥିଲି : ଟିଟିଡି ସଭାପତି

ତିରୁପତି : ଦେବାଳିଆ ହୋଇଯାଇଥିବା ଘରୋଇ ବ୍ୟାଙ୍କ ୟେସ୍‌ ବ୍ୟାଙ୍କରେ ବିପୁଳ ଅର୍ଥ ଜମା ରଖିଥିବା ଦୁଇଟି ଧାର୍ମିକ ଅନୁଷ୍ଠାନ ଏବେ ଚର୍ଚ୍ଚାରେ । ଗୋଟିଏ ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟଟି ହେଉଛି ତିରୁପତିର ବାଲାଜୀ ମନ୍ଦିର ।

ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାୟ ୫୪୫ କୋଟି ଟଙ୍କାର ଜମା ୟେସ ବ୍ୟାଙ୍କରେ ରଖାଯାଇଥିବାବେଳେ ତିରୁପତି ମନ୍ଦିରର ପ୍ରାୟ ୧୩୦୦ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ ଓ ସୁନା ଏହି ବ୍ୟାଙ୍କରେ ଥିଲା । କିନ୍ତୁ ଗତ ବର୍ଷ ଅକ୍ଟୋବର ୩୦ରେ ତିରୁପତି ମନ୍ଦିର ପକ୍ଷରୁ ଏହି ରାଶିକୁ ଉଠାଇ ନିଆଯାଇଥିଲା । ଏ ସଂପର୍କରେ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି)ର ଅଧ୍ୟକ୍ଷ ଓ୍ଵାଇ.ଭି.ସୁବ୍ଦାରେଡ୍ଡୀ କହିଛନ୍ତି ଯେ ସେ ଗତ ବର୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ଜମାକଥା ଜାଣିବାକୁ ପାଇଥିଲେ । ତେବେ ୟେସ ବ୍ୟାଙ୍କର ସ୍ଥିତି ଭଲ ନଥିବା ସେ ଆକାଉଣ୍ଟ ଯାଞ୍ଚ ବେଳେ ଜାଣିପାରିଥିଲେ ଓ ଉକ୍ତ ଜମାକୁ ଉଠାଇ ନେଇ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖିଥିଲେ । ଭଗବାନ ତିରୁପତିଙ୍କ ଦିବ୍ୟ ନିର୍ଦ୍ଦେଶରୁ ୟେସ ବ୍ୟାଙ୍କର ଭବିଷ୍ୟତ ସଂପର୍କରେ ଅନୁମାନ କରି ଏପରି ନିଷ୍ପତ୍ତି ନେଇପାରିଲେ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ମନ୍ଦିରର ଜମା ପୂର୍ବରୁ କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯାଉଥିଲା । କିନ୍ତୁ ଗତ ଚନ୍ଦ୍ରବାବୁ ନାଇଡୁ ସରକାର ଗଠନ କରିଥିବା ଟିଟିଡି ବୋର୍ଡର ଏକ ନିଷ୍ପତ୍ତି ନେଇ ବିଭିନ୍ନ ଘରୋଇ ବ୍ୟାଙ୍କରେ ପ୍ରାୟ ୫ ହଜାର କୋଟି ଜମା ରଖାଯାଇଥିଲା । କିନ୍ତୁ ଏବେ ମନ୍ଦିରର ଜମା କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର