ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ତିରୁପତି ଲଡ଼ୁ ବିବାଦର ଶୁଣାଣି ଥିଲା। ଜଷ୍ଟିସ ବି ଆର୍ ଗଭାଇ ଏବଂ କେ ଭି ବିଶ୍ବନାଥନଙ୍କ ଖଣ୍ଡପୀଠ ତିରୁପତି ଲଡ଼ୁ ବିବାଦର ଶୁଣାଣି ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଜଟିଳ ପ୍ରଶ୍ନ କରିଛନ୍ତି। ସେପ୍ଟେମ୍ବର ୨୫ରେ ତିରୁପତି ଲଡ଼ୁ ମାମଲାରେ ଏତଲା ରୁଜୁ ହେଲା ଏବଂ ସେପ୍ଟେମ୍ବର ୨୬ରେ ଏହି ଘଟଣାର ତଦନ୍ତ ପାଇଁ ଏସ୍ଆଇଟି ଗଠନ ହେଲା। କିନ୍ତୁ ନାଇଡ଼ୁ ଏହା ପୂର୍ବରୁ ସେପ୍ଟେମ୍ବର ୧୮ରେ ଏକ କାର୍ଯ୍ୟକ୍ରମରେ ଦାବି କରିଥିଲେ ଯେ ତିରୁପତି ଲଡ଼ୁ ପ୍ରସ୍ତୁତିରେ ପଶୁ ଚର୍ବି ବ୍ୟବହାର କରାଯାଉଛି। ଖଣ୍ଡପୀଠ ଏହି ପ୍ରସଙ୍ଗରେ କହିଛନ୍ତି, ଜଣେ ସର୍ବୋଚ୍ଚ ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତିଙ୍କ ପକ୍ଷେ ସର୍ବସାଧାରଣରେ ଏଭଳି ଟିପ୍ପଣୀ ଦେବା ଠିକ୍ ନୁହେଁ, ଯାହା କୋଟି କୋଟି ଲୋକଙ୍କ ଭାବନାକୁ ଆଘାତ ଦେବ।
ବିନା ପ୍ରମାଣରେ ସର୍ବସାଧାରଣରେ ଏଭଳି ଅଭିଯୋଗ କାହିଁକି କରୁଥିଲ ବୋଲି କୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। କୋର୍ଟ କହିଛନ୍ତି, ଯେତେବେଳେ ଆପଣ ନିଜେ ଏହି ଘଟଣାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଉଛନ୍ତି ସେ ସମୟରେ ସର୍ବସାଧାରଣରେ ଏଭଳି ଅଭିଯୋଗ କାହିଁକି। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ତଦନ୍ତ ଏସ୍ଆଇଟି ଦ୍ବାରା ଦେବା ଉଚିତ କି ଅନ୍ୟ କୌଣସି ସ୍ବାଧୀନ ସଂସ୍ଥା ଦ୍ବାରା ହେବା ଉଚିତ ତାହା ନିଷ୍ପତ୍ତି ନେବାରେ ସହଯୋଗ କରିବାପାଇଁ କୋର୍ଟ ସଲିସିଟର ଜେନେରାଲ ତୁଷାର ମେହଟାଙ୍କୁ କହିଛନ୍ତି।
କୋର୍ଟ କହିଛନ୍ତି, ସାମ୍ବିଧାନିକ ପଦବିରେ ଥିବା ବ୍ୟକ୍ତି ଧର୍ମକୁ ରାଜନୀତିଠାରୁ ପୃଥକ୍ ରଖିବା ଉଚିତ। ତିରୁପତି ଲଡ଼ୁ ପ୍ରସ୍ତୁତିରେ ଖରାପ ଘିଅର ବ୍ୟବହାର ହେବା ମାମଲାରେ କୋର୍ଟ ଆନ୍ଧ୍ର ସରକାରଙ୍କଠାରୁ ପ୍ରମାଣ ମାଗିଛନ୍ତି। କୋର୍ଟ କହିଛନ୍ତି, ଏହା ହେଉଛି ବିଶ୍ବାସର ବିଷୟ। ଯଦି ଲଡ଼ୁ ପ୍ରସ୍ତୁତିରେ ଖରାପ ଘିଅ ବ୍ୟବହାର ହୋଇଥାଏ ତେବେ ଏହା ଅଗ୍ରହଣୀୟ। ଏଥିପାଇଁ କିଏ ଦାୟୀ ସେ ଦିଗରେ ମଧ୍ୟ ତଦନ୍ତ ହେବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି। କୋର୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ ତାରିଖକୁ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ, ପୂର୍ବତନ ଟିଟିଡି ଅଧ୍ୟକ୍ଷ ୱାଇଭି ସୁଭ ରେଡ୍ଡି ଏବଂ ଐତିହାସିକ ବିକ୍ରମ ସମ୍ପଥ, ଆଧ୍ୟାତ୍ମିକ ବକ୍ତା ଦୁଷ୍ୟନ୍ତ ଶ୍ରୀଧରଙ୍କ ଦ୍ବାରା ହୋଇଥିବା ଏକ ଆବେଦନ ଉପରେ କୋର୍ଟ ଏହି ଶୁଣାଣି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OMu0CJz99dU7LrdsEc6O.jpg)