ମୁମ୍ବାଇ: ୯୦ ଦଶକରେ କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ତଥା ଟି-ସିରିଜର ସହ-ମାଲିକ କୃଷ୍ଣ କୁମାରଙ୍କ ଝିଅ ତିଶାଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ତିଶାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା ଏବଂ ସେ କର୍କଟ ରୋଗ ସହ ଲଢ଼ୁଥିଲେ ବୋଲି କୁହାଯାଉଛି। କର୍କଟ ଚିକିତ୍ସା ପାଇଁ ତିଶାଙ୍କୁ ମୁମ୍ବାଇରୁ ଜର୍ମାନୀକୁ ନିଆଯାଇଥିଲା। କିନ୍ତୁ ଜର୍ମାନୀର ଏକ ଡାକ୍ତରଖାନାରେ ତିଶାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା।
ଜୁଲାଇ ୨୨ତାରିଖ ସୋମବାର ଦିନ କୃଷ୍ଣା କୁମାର ଝିଅ ତିଶାଙ୍କର ଅନ୍ତିମ ସଂସ୍କାର କରିଛନ୍ତି। ଏତେ କମ ବୟସରେ ଝିଅ ତିଶାକୁ ହରାଇବା ପରେ ମା’ ତାନ୍ୟା ସିଂହ ଓ ବାପା କୃଷ୍ଣା କୁମାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏତେବଡ଼ ଦୁଃଖଦ ଘଟଣାପରେ ବାପା ଓ ମା’ ନିଜକୁ ସମ୍ଭାଳି ପାରୁ ନାହାନ୍ତି। ଝିଅର ଅନ୍ତିମ ସଂସ୍କାର ସମୟରେ ତାନ୍ୟା ଓ କୃଷ୍ଣାଙ୍କୁ ସମ୍ପର୍କୀୟମାନେ ସମ୍ଭାଳିଥିବା ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି।
ଟି-ସିରିଜ୍ ମୁଖପାତ୍ର ତିଶାଙ୍କ ମୃତ୍ୟୁକୁ ନିଶ୍ଚିତ କରି ଏକ ବିବୃତି ଜାରି କରି କହିଥିଲେ, “କୃଷ୍ଣ କୁମାରଙ୍କ ଝିଅ ତିଶା କୁମାରଙ୍କର ଜୁଲାଇ ୧୮ରେ ଦେହାନ୍ତ ହୋଇଛି। ଏହା ପରିବାର ପାଇଁ ଦୁଃଖର ସମୟ ଅଟେ। ତେଣୁ ପରିବାରର ଗୋପନୀୟତାକୁ ସମ୍ମାନ ଦିଆଯାଉ। ତିଶାଙ୍କ ମୃତ୍ୟୁ ହେତୁ ପରିବାରରେ ଶୋକର ଲହରୀ ଖେଳିଯାଇଛି।”