ନୂଆଦିଲ୍ଲୀ: କିଛି ଦିନ ତଳେ ଆଟଲାଣ୍ଟିକ୍ ମହାସାଗରର ଗଭୀର ପାଣି ଭିତରକୁ ଅବତରଣ କରିଥିଲା ଟାଇଟନ୍ ବୁଡ଼ାଜାହାଜ। ୧୧୧ବର୍ଷ ପୁରୁଣା ଟାଇଟାନିକ୍ ଜାହାଜର ଭଗ୍ନାଂଶ ଦେଖିବା ପାଇଁ ୫ଜଣ ଯାତ୍ରୀ ପ୍ରାୟ ୧୨,୮୦୦ଫୁଟ୍ ଗଭୀରକୁ ଯାଇଥିଲେ। ହେଲେ ଅଧିକ ଗଭୀରକୁ ଯିବା ପରେ ବୁଡ଼ାଜାହାଜଟି ବିସ୍ଫୋରଣର ଶିକାର ହୋଇ ଫାଟି ଯାଇଥିଲା। ଏହା ଫଳରେ ୫ଜଣକର ମୃତ୍ୟୁ ହୋଇଥିଲା। ଏବେ ମୃତ୍ୟୁପୂର୍ବରୁ ୫ଜଣ ଯାତ୍ରୀ କ’ଣ କ’ଣ ସବୁ କରିଥିଲେ ତାହା ସାମ୍ନାକୁ ଆସିଛି।
ମୃତ ୫ଜଣକ ମଧ୍ୟରେ ପାକିସ୍ତାନୀ ବଂଶୋଦ୍ଭବ କୋଟିପତି ବ୍ୟବସାୟୀ ଶେହଜାଦା ଦାଉଦ୍ ଓ ତାଙ୍କ ପୁଅ ରହିଥିଲେ। ଏବେ ଶେହଜାଦାଙ୍କ ପତ୍ନୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ, ପୁଅ ଏବଂ ଅନ୍ୟ ଯାତ୍ରୀମାନେ ଟାଇଟନରେ ସମୁଦ୍ର ଗଭୀରକୁ ଯିବା ପୂର୍ବରୁ କିପରି ଶେଷ ଦିନ ଅତିବାହିତ କରିଥିଲେ। ତାଙ୍କ କହିବା ମୁତାବକ, ସ୍ୱାମୀ ଏବଂ ପୁଅ ବୁଡ଼ାଜାହାଜରେ ବସିବା ପୂର୍ବରୁ ସେମାନଙ୍କୁ ପୋଲାର ପ୍ରିନ୍ସର ବଙ୍କ ବେଡରେ ରହିବାକୁ ପଡିଥିଲା ଏବଂ ଟ୍ରେରେ ବୁଫେ ଶୈଳୀ ଖାଇବାକୁ ପଡିଥିଲା। ଟାଇଟନରେ ସମୁଦ୍ରକୁ ଯିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କୁ ଗୋଟିଏ ପରେ ଗୋଟିଏ କରି ଡକାଯାଇ ବୈଠକ କରାଯାଇଥିଲା। ଏହା ସହ ମଝିରେ ମଝିରେ ସେମାନେ ଟାଇଟାନିକ ଫିଲ୍ମ ବି ଦେଖୁଥିଲେ। ରହିବା ଓ ଖାଇବାରେ ସମସ୍ୟା ଥାଇ ବି ମୋ ସ୍ବାମୀ ଓ ପୁଅ ଟାଇଟନରେ ବସି ଯାତ୍ରା କରିବା ପାଇଁ ବହୁତ ଉତ୍ସାହିତ ଥିଲେ। ହେଲେ ଏଭଳି କିଛି ଘଟିଯିବ ବୋଲି ଆମେ ଭାବିନଥିଲୁ।