କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଆଜି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ତାଲିକାରେ ୨୯୧ ପ୍ରାର୍ଥୀଙ୍କ ନାମ ରହିଥିବା ବେଳେ ଏଥିରେ ୫୦ ଜଣ ମହିଳାଙ୍କୁ ଟିକଟ ଦିଆଯାଇଛି। ଟିଏମ୍ସି ପ୍ରାର୍ଥୀ ତାଲିକାରେ ୪୨ ଜଣ ମୁସ୍ଲିମ ପ୍ରାର୍ଥୀ ଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଦକ୍ଷିଣ କୋଲକାତାର ଭବାନୀପୁର ଆସନରୁ ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହେବେ ନାହିଁ। ଏହି ଆସନ ପାଇଁ ଶକ୍ତିମନ୍ତ୍ରୀ ଶୋଭନଦେବ ଚାଟାର୍ଜୀଙ୍କ ନାମ ରହିଛି। ଚଳିତ ନିର୍ବାଚନରେ ତୃଣମୂଳ ସୁପ୍ରିମୋ ମମତାଙ୍କ ପାରମ୍ପରିକ ଆସନ କୁହାଯାଉଥିବା ଭବାନୀପୁର ଶୋଭନଦେବଙ୍କୁ ଛାଡ଼ି ଦେଇଛନ୍ତି ଏବଂ ସେ ନନ୍ଦୀଗ୍ରାମ ଆସନରୁ ଲଢ଼ିବେ ବୋଲି ସ୍ଥିର ହୋଇଛି। ଶୋଭନଦେବ ମମତାଙ୍କର ଅତି ବିଶ୍ବସ୍ତ ନେତା ଭାବେ ପରିଚିତ। ତୃଣମୂଳ ଗଠନ ହେବା ଦିନଠାରୁ ସେ ଦଳରେ ଏବଂ ମମତାଙ୍କ ସହ ଅଛନ୍ତି। ତାଙ୍କ ନାମରେ କୌଣସି ଦୁର୍ନୀତି ମାମଲା ନାହିଁ ।ନାରଦ, ଶାରଦା ଭଳି ବହୁଚର୍ଚ୍ଚିତ ଚିଟ୍ଫଣ୍ଡ ଠକେଇ ମାମଲାରେ ତୃଣମୂଳର ବହୁ ନେତା, ମନ୍ତ୍ରୀଙ୍କ ନାମ ଜଡ଼ିତ ଥିବାବେଳେ ଶୋଭନଦେବ ଆଜି ସୁଦ୍ଧା ନିର୍ବିବାଦୀୟ ଅଛନ୍ତି। ତେଣୁ ତାଙ୍କୁ କୋଲକାତାର ‘ଜେଣ୍ଟଲ୍ମେନ୍’ ବୋଲି କୁହାଯାଏ। ବଙ୍ଗାଳି ବ୍ରାହ୍ମଣ ସମୁଦାୟରୁ ଆସିଥିବା ଶୋଭନଦେବ ଜଣେ କୃଷକ ନେତା।
ଭବାନୀପୁର ନିର୍ବାଚନ ମଣ୍ଡଳୀରେ ୬୫ ପ୍ରତିଶତ ଭୋଟର ହେଉଛନ୍ତି ଅଣ-ବଙ୍ଗାଳି। ଭବାନୀପୁରରୁ ୨ ଥର ନିର୍ବାଚନ ଲଢ଼ିଛନ୍ତି ମମତା। ୨୦୧୧ ଉପ-ନିର୍ବାଚନରେ ୭୭.୬% ଭୋଟ୍ ହାସଲ କରି ୫୦ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଥିଲେ। ମମତାଙ୍କୁ ୨୦୧୬ରେ ୪୮% ଭୋଟ୍ ମିଳିଥିଲା। ଏହି ଆସନରୁ ବିଜେପି ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଦାସଗୁପ୍ତଙ୍କୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଏସବୁ ବ୍ୟତୀତ ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ ଦେବାକୁ ମମତା ଭବାନୀପୁର ଛାଡ଼ି ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।
ଶୁକ୍ରବାର, ଛୋଟ ରୁମ୍ ମମତାଙ୍କ ପାଇଁ ‘ଲକି’
କୋଲକାତା : ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରିଥିବା ମମତା ବାନାର୍ଜୀଙ୍କ ପାଇଁ ଶୁକ୍ରବାର ଓ କାଳୀଘାଟର ଏକ ଛୋଟ ରୁମ୍ ଅତୀତରେ ‘ଲକି’ ସାବ୍ୟସ୍ତ ହୋଇଥିବାରୁ ଆଜି ସେଠାରେ ସେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ। ଗଣମାଧ୍ୟମ ପ୍ରତିନିଧିନଙ୍କୁ ନେଇ କାଳୀଘାଟସ୍ଥିତ ବାସଭବନର ସେଇ ଛୋଟ ରୁମ୍ରେ ପ୍ରେସ୍ କନ୍ଫରେନ୍ସର ଆୟୋଜନ କରିଥିଲେ ମମତା। ଅତୀତରେ ସେହି ୧୦x୧୦ ରୁମ୍ରେ ଅନେକ କାର୍ଯ୍ୟର ଶୁଭାରମ୍ଭ କରି ସଫଳତା ପାଇଥିବାରୁ ସେହି ରୁମ୍ଟିକୁ ସେ ସୌଭାଗ୍ୟର ପ୍ରତୀକ ବୋଲି ବିଶ୍ବାସ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/freepressjournal.jpg)